ସରକାରଙ୍କୁ ଦୁଗ୍ଧ ଚାଷୀଙ୍କ ୧୫ ଦିନିଆ କଣ୍ଟ, ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସାଧାରଣ ଚାଷୀ ହେଉ କିମ୍ବା ଦୁଗ୍ଧ ଚାଷୀ, ସମସ୍ତେ ଦୁର୍ଦ୍ଦଶା ମଧ୍ୟରେ । କିଏ ଚାଷ ଛାଡ଼ିଲାଣି ତ କିଏ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଏହି କ୍ରମରେ ଦୁଗ୍ଧର ଉଚିତ ମୂଲ୍ୟ ମାଗି ବିଫଳ ହେବା ପରେ ଏବେ ରାଜ୍ୟ ସରକାରଙ୍କୁ ୧୫ ଦିନର କଣ୍ଟ ଦେଇଛି ଦୁଗ୍ଧ ଚାଷୀ ମହାସଂଘ । ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ପାଇଁ ସଂଘ ହେଉଛି ପ୍ରସ୍ତୁତି ।

ଓମ୍ଫେଡ଼ ଲିଟର ପିଛା ଲୋକଙ୍କୁ ୬୨ ଟଙ୍କାରେ କ୍ଷୀର ବିକୁଥିଲେ ମଧ୍ୟ ଚାଷୀଙ୍କୁ ୪୦ ଟଙ୍କା ବି ଦେବାକୁ ନାରାଜ । ଏ ସମ୍ପର୍କରେ ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ମଧ୍ୟ ସରକାର ଜାଣି ବି ନ ଜାଣିଲା ଭଳି ରହୁଛନ୍ତି । କ୍ଷୀର ଲିଟର ପିଛା ୪୦ ଟଙ୍କା କରିବା, ଗୋଖାଦ୍ୟ ଦର ନିୟନ୍ତ୍ରଣ କରିବା, ଦୁଗ୍ଧ ଚାଷୀଙ୍କୁ ସରକାର ବୀମା ରାଶି ନିଜେ ପ୍ରଦାନ କରିବା ଓ ଡାକ୍ତରୀ ସହାୟତା ଯୋଗାଇ ଦେବା ଆଦି ଦାବି ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ରଖିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ । ପ୍ରାଣୀ ସମ୍ପଦ ମନ୍ତ୍ରୀ ଓ ଓମ୍ଫେଡ଼ ଏମଡିଙ୍କୁ ଦାବିପତ୍ର ଦେବା ସହ ୧୫ ଦିନର କଣ୍ଟ ଦେଇଛି ଓଡିଶା ଦୁଗ୍ଧ ଚାଷୀ ମହାସଂଘ । ୧୫ ଦିନ ମଧ୍ୟରେ ଦୁଗ୍ଧ ଲିଟର ପିଛା ଅତି କମରେ ୪୦ ଟଙ୍କା ନକଲେ ୩ ଲକ୍ଷ ଦୁଗ୍ଧ ଚାଷୀ ଓ ତାଙ୍କ ପରିବାର ରାଜ୍ୟବ୍ୟାପୀ କ୍ଷୀର ଢାଳି ପ୍ରତିବାଦ କରିବେ । ଏଥିପାଇଁ ଆସନ୍ତା ୧୫ ତାରିଖରେ ମହାସଂଘର ସାଧାରଣ ପରିଷଦ ବୈଠକ ଡକାଯାଇଛି ।

ସେପଟେ ଦୁଗ୍ଧ ଚାଷୀ ସରକାରଙ୍କ ପାଖରେ ନିଜର ହକ ପାଇଁ କହି କହି ନିରାଶ । ଏବେ ଚାଷ ଛାଡିବାକୁ ନିଷ୍ପତ୍ତି ନେଲେଣି ଚାଷୀ । ସରକାର ଯାହା କହୁଛନ୍ତି, ତା’ର କିଛି ବି ପ୍ରତିଫଳନ ଦେଖିବାକୁ ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି । କ୍ଷୀରର ଉଚିତ ମୂଲ୍ୟ ମିଳୁ ନ ଥିବାବେଳେ ଗୋଖାଦ୍ୟ ଦାମ ମଧ୍ୟ ଏବେ ଆକାଶଛୁଆଁ । ସେପଟେ ସରକାର ବିଭିନ୍ନ ଯୋଜନା କଥା ଘୋଷଣା କରିଥିଲେ ମଧ୍ୟ ସେସବୁ କେବଳ ଶୁଣିବାକୁ ମିଳୁଛି କିନ୍ତୁ କାମରେ କିଛି ନାହିଁ ବୋଲି ଦୁଗ୍ଧ ଚାଷୀ କହିଛନ୍ତି । ତେଣୁ ଦୁଗ୍ଧ ଚାଷୀ ମହାସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରାକୁ ସମର୍ଥନ ଦେବା ସହ ସମସ୍ତେ ରାସ୍ତାକୁ ଓହ୍ଲାଇବେ ବୋଲି ଦୁଗ୍ଧ ଚାଷୀ କହିଛନ୍ତି ।

ସେପଟେ ସରକାରୀ ସ୍ତରରେ ଅନ୍ୟ କମ୍ପାନୀର ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର ନ କରି ଓମ୍ଫେଡ଼ କ୍ଷୀର, ଦହି, ଲସି ଆଦି ଯୋଗାଇବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ । ଯାହା ଫଳରେ ରାଜ୍ୟର ଦୁଗ୍ଧ ଚାଷୀମାନେ ଆର୍ଥିକ କ୍ଷେତ୍ରରେ ଅଧିକ ସମୃଦ୍ଧ ହୋଇପାରିବେ ବୋଲି କୁହାଯାଇଛି ।