ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ; ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ: ଆସନ୍ତା ବୁଧବାର ସ୍ନାନପୂର୍ଣ୍ଣିମା । ଶ୍ରୀଜିଉଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତେଣୁ ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିଛନ୍ତି ।  ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ ।

ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ । ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବ ସ୍ନାନ ଯାତ୍ରା ପରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ । ନବଯୌବନ ଦର୍ଶନ ପରେ ଦଇତା ସେବକମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବାର ବିଧି ରହିଛି ।