ଭୁବନେଶ୍ବର ସତ୍ୟବିହାରରେ ଭୟଙ୍କର ଅଗ୍ନିକାଣ୍ଡ । ଛକରେ ଥିବା ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ। ହୁ ହୁ ହୋଇ ଜଳିଗଲା ବାର୍ । ଅଗ୍ନିଶମ ବାହିନୀର ଦୀର୍ଘ ଉଦ୍ୟମ ପରେ ନିଆଁକୁ କରାଯାଇଛି ଆୟତ୍ତ। ଚାରି ମହଲା ଉପରେ ଚାଲିଥିବା ହୁକା ବାର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ବଡ଼କଥା ହେଉଛି ହୁକ୍କା ବାରରେ ଅଗ୍ନି ନିୟନ୍ତ୍ରଣ ଲାଗି କୌଣସି ଯନ୍ତ୍ରପାତି ନଥିଲା। ଅଗ୍ନିକାଣ୍ଡ ଘଟଣାରେ ସ୍ପଷ୍ଟୀକରଣ ରଖିଛି ଅବକାରୀ ବିଭାଗ। ନୋ ଲିମିଟ ଏୟାର ରେଷ୍ଟୁରାଣ୍ଟରେ ନଥିଲା ବାର ଲାଇସେନ୍ସ । କିନ୍ତୁ ସେହି ସ୍ଥାନରେ ମଦ ବାର ସାଙ୍ଗକୁ ହୁକ୍କା ବାର ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ସେପଟେ ଶତ୍ରୁତା କାରଣରୁ ବାରରେ ନିଆଁ ଲଗାଇଦିଆଯାଇଥିବା ଆଶଙ୍କା କରାଯାଉଛି। କିଛିଦିନ ତଳେ ବାରକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଚାରି ମହଲା ବିଶିଷ୍ଟ ବାରରେ କିପରି ଅଗ୍ନିକାଣ୍ଡ ଘଟିଲା ତାହାର ଚାଲିଛି ଛାନବିନ। ଅଗ୍ନିକାଣ୍ଡ ଯୋଗୁ ରସୁଲଗଡ଼ଠାରୁ ପଳାଶୁଣୀ ଯାଏ ରାସ୍ତା ହୋଇଯାଇଥିଲା ଜାମ। ଅଗ୍ନିକାଣ୍ଡ ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡ ଘଟଣା ପରେ ସେଠାରେ ଶହ ଶହ ଲୋକ ଜମା ହୋଇଥିବା ଦେଖିବାକୁ ମିଳିଛି।
ଗତ ଡିସେମ୍ବର ୬ରେ ଗୋଆର ଏକ ନାଇଟ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଓଡ଼ିଶାରେ ମଧ୍ୟ ବାର ଓ ପବର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିଜେ ଏ ସମ୍ପର୍କରେ ଅଗ୍ନିଶମ ଡିଜି ସୂଚନା ଦେଇଥିଲେ । କିନ୍ତୁ ନିର୍ଦ୍ଦେଶ ପରେ ଆଜି ଏହି ଅଘଟଣ ଅଗ୍ନିଶମ ବିଭାଗ ପାଇଁ ଚ୍ୟଲେଞ୍ଜ ସୃଷ୍ଟି କରିଛି । ଗୋଆ ବିର୍ଚ୍ଚ ବାଇ ନାଇଟ କ୍ଲବରେ ଘଟିଥିବା ଅଘଟଣରେ ଯାଇଥିଲା ୨୫ଜଣଙ୍କ ଜୀବନ।

