ତିଆରି ହୋଇଥିଲା ନୂଆ ପୋଲ, ଧୋଇଗଲା ଡାଇଭର୍ସନ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ଲଘୁଚାପଜନିତ ବର୍ଷା । ବର୍ଷାର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବଢିପାଣି ଯୋଗୁ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲ ନିକଟରେ ଏକ ଡାଇଭର୍ସନ ରାସ୍ତା ଧୋଇଯାଇଛି । ଫଳରେ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଛିନ୍ନ ହୋଇଯାଇଛି । ଉଭୟ କଡ଼ରେ ବହୁ ଗାଡି ମୋଟର ଅଟକି ରହିଥିବା ବେଳେ ତିନୋଟି ପଞ୍ଚାୟତ ଲୋକଙ୍କର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସିମନବାଡି ଠାରୁ ବୁଡ଼ାଗୁଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିଲା । ହେଲେ ବର୍ଷା ପୂର୍ବରୁ ଏହି ରାସ୍ତା କାର୍ଯ୍ୟ ସରିଯିବା କଥା । କିନ୍ତୁ ତିଲୋରୀର ଗୁମାଡ଼ି ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ୟ ସରିପାରୁ ନାହିଁ । ଫଳରେ ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବର୍ଷା ଦିନ ଆରମ୍ଭରୁ ଏଭଳି ଅବସ୍ଥା, ଅଗାକୁ କଣ ହେବ ବୋଲି ଚିନ୍ତାରେ ରହିଛନ୍ତି ସ୍ଥାନୀୟବାସିନ୍ଦା । ଏନେଇ ଅତିଶୀଘ୍ର କାମ ସାରିବାକୁ ଦାବି ହୋଇଛି ।