ଶାରଦୀୟ ଦୁର୍ଗାପୂଜା: ପୀଠରେ ମହାନବମୀ ଓ ମଣ୍ଡପରେ ମହାଷ୍ଟମୀ

ନନ୍ଦଘୋଷ ବ୍ୟୁରୋ: ଧୂମଧାମରେ ସାରା ରାଜ୍ୟରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଗାଁଠୁ ସହର ସବଠି ଉତ୍ସବର ମାହୋଲ । ପୁଣି ଥରେ ଅସତ୍ୟ ଉପରେ ସତ୍ୟର ବିଜୟ ଧ୍ବଜା ଉଡାଇବାକୁ ଆସିଛନ୍ତି ଜଗତ ଜନନୀ ମହିଷାମର୍ଦ୍ଦିନ ମା’ ଦୁର୍ଗା ।

ମା’ଙ୍କ ଆଗମନରେ ପୁରପଲ୍ଲୀରେ ଚାଲିଛି ଉତ୍ସବ । ପୀଠରେ ମା’ଙ୍କ ମହାନବମୀ ଅନୁଷ୍ଠିତ ହେଉଛି । ରାଜ୍ୟରେ ଥିବା ବିଭିନ୍ନ ଶକ୍ତିପୀଠରେ ମା’ ଭିନ୍ନ ଭିନ୍ନ ରୂପରେ ଆଜି ପୂଜା ପାଉଛନ୍ତି । ନବମୀ ପୂଜା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।

ସେହିପରି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ମା’ଙ୍କ ଦର୍ଶନ କରିବା ସହ ନୈବିଦ୍ୟ ଅର୍ପଣ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଦର୍ଶନ ଶୃଙ୍ଖଳିତ କରିବା ପାଇଁ ପୀଠ ଓ ମଣ୍ଡପ କମିଟଇ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ଐତିହ୍ୟ ସହର କଟକ, ରାଜଧାନୀ ଭୁବନେଶ୍ବର, ଷ୍ଟିଲସିଟି ରାଉରକେଲା ସହ ରାଜ୍ୟର ସବୁ ଜିଲ୍ଲାରେ ଧୂମଧାମରେ ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି । ରଙ୍ଗବେରଙ୍ଗର ଆଲୋକମାଳା ସହ ଆଖି ଝଲିସି ଯିବା ପରି ସୁଉଚ୍ଚ ତୋରଣ ଲୋକଙ୍କୁ ଆକୃଷ୍ଟ କରୁଛି । ଦିନ ତ ଦିନ ସାରା ରାତି ରାଜଧାନୀରେ ପୂଜା ମଣ୍ଡପଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

କଟକରେ ସୁନା ଓ ଚାନ୍ଦି ଅଳଙ୍କାରେ ଆଭୂଷିତ ହୋଇ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ଗୋଟିଏକୁ ବଡ଼ି ଅନ୍ୟ ତୋରଣ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି ।

ସେହିପରି ରାମ ଦୋଳିକୁ ପିଲାଙ୍କ ପାଇଁ ଭଳି କି ଭଳି ଖେଳର ପସରା ମେଲିଛି ପୂଜା ମଣ୍ଡପଗୁଡିକରେ । ଗୁପଚୁପ, ଆଇସକ୍ରିମ, ଚାଟ ସାଙ୍ଗକୁ ଭଳି କି ଭଳି ଖାଦ୍ୟ ଓ ଫାଷ୍ଟଫୁଟ୍ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ମୀନାବଜାରରେ ଘରକରଣା ଜିନିଷ କିଣି ନେବାକୁ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି । ପାଗ ଭଲ ଥିବାରୁ ଲୋକେ ବିନଦାଶ ଭାବେ ବିଭିନ୍ନ ପୂଜା ମଣ୍ଡପ ବୁଲି ମଜ୍ଜା ଉଠାଉଛନ୍ତି ।