ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?

ନୟାଗଡ଼: ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର କିଏ ବିଜୟୀ ହେବେ ? କାହା ହାତକୁ ଯିବ ଆସନ? ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଚାର ଜମିଲାଣି । ତିନି ପ୍ରାର୍ଥୀ ଜୋରଦାର ଲାଗିପଡ଼ିଛନ୍ତି। ୨୦୦୯ରୁ ଦଶପଲ୍ଲା ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ବିଜେଡିର ଦୁର୍ଗ ପାଲଟିଛି। ଦେଖିବା ଭୋଟର ଏଥର କେଉଁ ପ୍ରସଙ୍ଗ ଓ କେଉଁ ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଉଛନ୍ତି।

ସରଗରମ ହୋଇଆସୁଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀ । ଆରମ୍ଭ ହୋଇଯାଇଛି ପ୍ରଚାର । ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକର ୫୦ଟି ପଞ୍ଚାୟତ ଏବଂ ଦଶପଲ୍ଲା ଏନଏସିର ୧୬ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ଅଛନ୍ତି ୧ ଲକ୍ଷ ୯୦ ହଜାର ୫୦୪ ଜଣ ଭୋଟର । ସେଥିରୁ ପୁରୁଷ ୯୮ ହଜାର ୫୫୮, ମହିଳା ୫୧ ହଜାର ୯୬୩ ଓ ଅନ୍ଯାନ୍ଯ ଭୋଟର ମାତ୍ର ୧୦ ଜଣ । ଦଶପଲ୍ଲାରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ରମେଶ ଚନ୍ଦ୍ର ବେହେରା । ବିଜେପି ପକ୍ଷରୁ ରାଘବ ମଲ୍ଲିକ ରଣାଙ୍ଗନାକୁ ଓହ୍ଲାଇଛନ୍ତି। ଏହି ଦୁଇ ପ୍ରାର୍ଥୀକୁ ଟକ୍କର ଦେବାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହୋଇଛନ୍ତି ନକୁଳ ନାୟକ। ଜୋରଦାର ପ୍ରଚାର ଆରମ୍ଭ ହୋଇଛି ।

୨୦୦୯ରୁ ଦଶପଲ୍ଲା ବିଧାନସଭା ଆସଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ୨୦୦୯ରୁ ରହିଆସିଛି ବିଜେଡିର ଗଡ଼ । ୨୦୦୯ରେ ବିଜେଡି ପ୍ରାର୍ଥୀ କାଶୀନାଥ ମଲ୍ଲିକ ୬୧ ହଜାର ୧୪୨ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ମନୋଜ ବେହେରାଙ୍କୁ ୧୩ ହଜାର ୨୧୮ ଓ କଂଗ୍ରେସ ପ୍ରାର୍ଥୀ ଲେକ୍ଚରର୍ ବୁଲିଅନଙ୍କୁ ୨୨ ହଜାର ୩୮୪ ଭୋଟ ମିଳିଥିଲା । ୨୦୧୪ରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ନାଏକ ୭୫ ହଜାର ୮୩୨ ଖଣ୍ଡ ଭୋଟ ପାଇ ଜିତିଥିଲେ । ବିଜେପି ପ୍ରାର୍ଥୀ ପ୍ରମୋଦ ବେହେରାଙ୍କୁ ୧୬ ହଜାର ୫୩ ଓ କଂଗ୍ରେସ ପ୍ରାର୍ଥୀ ଇନ୍ଦୁମତି ନାଏକଙ୍କୁ ୧୮ ହଜାର ୫୦୫ ଭୋଟ ମିଳିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ୭୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ୩୯ ହଜାର ୭୧୫  ଓ କଂଗ୍ରେସର ପ୍ରଶାନ୍ତ ନାଏକଙ୍କୁ ୭ ହଜାର ୯୪୯ ଭୋଟ ମିଳିଥିଲା। ଏଥର କାହାକୁ ଭୋଟ ଦେବେ, ଭୋଟର ଅଙ୍କ କଷୁଛନ୍ତି।

ରାଜ୍ଯ ସରକାରଙ୍କ ପକ୍ଷରୁ  ଦଶପଲ୍ଲାରେ ରାସ୍ତାଘାଟ ସାଙ୍ଗକୁ ପାନୀୟଜଳ, ଶିକ୍ଷା, ସ୍ଵାସ୍ଥ୍ଯ, କ୍ରୀଡ଼ା ତଥା ସବୁ ପ୍ରକାର ଭିତ୍ତିଭୂମିର ବିକାଶ ହୋଇଛି ।  ଭୋଟ ଦେବା ପୂର୍ବିବରୁ  ବିଜେଡି ସହ ଅନ୍ଯ ଦଳଙ୍କ ଅବଦାନକୁ ଲୋକ ତୁଳନା କରୁଛନ୍ତି।