ନୟାଗଡ଼: ଆଉ ଦିନ କେଇଟା ପରେ ନିର୍ବାଚନ। ଗ୍ରାଉଣ୍ଡରେ ପ୍ରାର୍ଥୀ । ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ତେବେ କାହାକୁ ବାଛିବେ ଜନତା ? କାହାର ହେବ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ? ତାକୁ ନେଇ ଚାଲିଛି ଅଙ୍କକଷା। ୨୦୦୯ ମସିହାରୁ ବିଜେଡିର ଗଡ ରହିଆସିଛି ଏହି ଆସନ।

ରାଜ୍ଯ ରାଜନୀତି ଦୃଷ୍ଟିକୋଣରୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସ୍ଥାନ ସ୍ଵତନ୍ତ୍ର । କନ୍ଧମାଳ ସଂସଦୀୟ କ୍ଷେତ୍ର ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକର ୫୦ଟି ପଞ୍ଚାୟତ ସହ ଦଶପଲ୍ଲା ଏନଏସିର ୧୬ ଗୋଟି ୱାର୍ଡକୁ ନେଇ ଗଠିତ । ଏଠାରେ ଅଛନ୍ତି ୧ ଲକ୍ଷ ୮୪ ହଜାର ୪୪୫ ଜଣ ଭୋଟର । ସେଥିମଧ୍ଯରୁ ପୁରୁଷ ଭୋଟର ୯୮ ହଜାର ୫୫୮ , ମହିଳା ଅଛନ୍ତି ୫୧ ହଜାର ୯୬୩ । ଅନ୍ଯାନ୍ଯ ଭୋଟର ହେଲେ ମାତ୍ର ୧୦ ଜଣ । ଏଠାରେ ମୁଖ୍ଯତଃ ତ୍ରିମୁଖୀ ଲଢେଇ । ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ବେହେରା ,ବିଜେପିରୁ ରାଘବ ମଲ୍ଲିକ, କଂଗ୍ରେସରୁ ନକୁଳ ନାୟକ ପ୍ରାର୍ଥୀ । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ।

୨୦୦୯ ପରଠାରୁ ଦଶପଲ୍ଲା ବିଧାନସଭା ଆସନଟି ଅନୁସୂଚିତ ଜାତି ପାଇଁ  ସଂରକ୍ଷିତ ରହିଛି । ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କାଶୀନାଥ ମଲ୍ଲିକ ୬୧ ହଜାର ୧୪୨ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ମନୋଜ କୁମାର ବେହେରା ୧୩ ହଜାର ୨୧୮ , କଂଗ୍ରେସର ଲେକ୍ଚରର୍ ବୁଲିଅନ ୨୨ ହଜାର ୩୮୪ ଖଣ୍ଡ ଭୋଟ ପାଇଥିଲେ ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ନାଏକ ୭୫ ହଜାର ୮୩୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ପ୍ରମୋଦ କୁମାର ବେହେରା ୧୬ ହଜାର ୦୫୩, କଂଗ୍ରେସର ଇନ୍ଦୁମତି ନାଏକ ୧୮ ହଜାର ୫୦୫ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ଦଶପଲ୍ଲାରେ ବିଜୟବାନା ଉଡାଇଥିଲା ବିଜେଡି । ପ୍ରାୟ ୭୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ରମେଶ ଚନ୍ଦ୍ର ବେହେରା । ବିଜେପିର ପୂର୍ଣ୍ଣ ଚନ୍ଦ୍ର ନାଏକ ୩୯ ହଜାର ୭୧୫ ,କଂଗ୍ରେସର ପ୍ରଶାନ୍ତ କୁମାର ନାଏକ ୭ ହଜାର ୯୪୯ ଖଣ୍ଡ ଭୋଟ ପାଇଥିଲେ । ବିଗତ ୩ଟି ଯାକ ନିର୍ବାଚନକୁ ଦେଖିଲେ ଜଣାପଡ଼େ ଯେ ଦଶପଲ୍ଲାରେ ବିଜେଡି ହାୱାରେ ଅମାନତ ହରେଇ ବସୁଛନ୍ତି କଂଗ୍ରେସ ଓ ବିଜେପି।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ,ବନ୍ଯା ନିୟନ୍ତ୍ରଣ , ମୋବାଇଲ ସେବା ଏବଂ କ୍ରୀଡା ଭିତ୍ତିଭୂମିର ବିକାଶ ହୋଇଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କାହାକୁ ମିଳୁଛି ସ୍ପଷ୍ଟ ଜନମତ ତାହା ଜୁନ ୪ରେ ଜଣାପଡିବ ।