spot_img

Latest Posts

ମା’ ଜଗନ୍ନାଥଙ୍କୁ ପୁଅ କରିଥିଲେ,ଶେଷ ଇଚ୍ଛା ପୁରଣ କରିବାକୁ ୩ ଝିଅ ଜଗନ୍ନାଥଙ୍କୁ ଦାନ କଲେ ସମ୍ପତ୍ତି

ନବରଙ୍ଗପୁର: ଖଣ୍ଡିଏ ସମ୍ପତ୍ତି ପାଇଁ ପରିବାର ପରିବାର ମଧ୍ୟରେ ଝଗଡ଼ା ଲାଗେ । ଭାଇ ଭାଇର ଶତ୍ରୁ ହୋଇଯାଏ । ହାତ ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ । କେଉଁଠି ଭାଇ ପାଇଁ ଭାଇ ଭଗାରି ହୋଇଯାଏ ତ ପୁଣି କେଉଁଠି ସମ୍ପତ୍ତି ପାଇଁ ପୁଅ ବାପାର ଶତ୍ରୁ ହୋଇଯାଏ । ସମ୍ପତ୍ତି ସମ୍ପର୍କକୁ ନେଇ କାଠଗଡ଼ାରେ ଛିଡ଼ା କରାଇଦିଏ । କିନ୍ତୁ ଜଣେ ମହିଳା ଭକ୍ତ ଜଗନ୍ନାଥଙ୍କୁ ଦାନ କରିଛନ୍ତି ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି । ମହିଳା ତାଙ୍କର ଶେଷ ଇଚ୍ଛାରେ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କ ସମ୍ପତ୍ତି ଦାନ କରିବା କହିଥିଲେ । ଆଉ ମହିଳାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଲୋକେ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ପାଖାପାଖି ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତିକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ଶେଷ ଇଚ୍ଛା ରଖିଥିବା ମହିଳା ହେଉଛନ୍ତି ବୈଜନ୍ତିମାଳା ସାହୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ ।

ଭବାନୀ ସାହୁଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁ ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠା ଘର ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ଏହାସହ ୧ ମଙ୍ଗଳ ସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥା ମଣି, ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ମାଆ ବୈଜନ୍ତିମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିବାର ଲୋକେ ।

ବୈଜନ୍ତିମାଳା ସାହୁଙ୍କର ଚଳିତ ମାସ ୨ ତାରିଖ ଦିନ ପରଲୋକ ଘଟିଥିଲା । ବୈଜନ୍ତି ମାଳାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ଭବାନୀ ସାହୁ ଓ ବୈଜୟନ୍ତି ସାହୁଙ୍କ ୩ଟି ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ଦାଇତ୍ୱ ସବୁ ସମ୍ପନ୍ନ କରିସାରିଛନ୍ତି କିନ୍ତୁ ବୈଜୟନ୍ତୀମାଳାଙ୍କ ଗୋଟିଏ ମଧ୍ୟ ପୁଅ ନଥିବା ହେତୁ ସେ ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ଜଗନ୍ନାଥଙ୍କୁ ଭକ୍ତି ଓ ଶ୍ରଦ୍ଧା କରୁଥିଲେ ।

ଏହି କାରଣରୁ ଶେଷ ସମୟରେ ବୈଜୟନ୍ତିମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ । ମାଆଙ୍କ ଏହି ଶେଷ ଇଚ୍ଛାକୁ ପୁରଣ କରିବାକୁ ୩ ଝିଅ ଆଜି ମାଆଙ୍କ ୧୪ ଦିନିଆ କାର୍ଯ୍ୟକ୍ରମ ଦିନ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାରେ ଦାନ କରିଛନ୍ତି । ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଠ କୋଠା ଘରେ ୯ ଟି ପରିବାର ଭଡ଼ାରେ ରହିପାରିବେ । ତେଣୁ ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜ ପୁରୋହିତ କହିଛନ୍ତି ।

 

Latest Posts

Don't Miss