spot_img

Latest Posts

5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକାମ୍ର ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ ଶେଷ କରିବାକୁ ଡେଡଲାଇନ। ଆଜି ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଏକାମ୍ର ପ୍ରକଳ୍ପ ବୁଲିବା ସହ ଟିକିନିଖି ସମୀକ୍ଷା କରିଛନ୍ତି। ସକାଳ ସାଢେ ୬ରୁ ସାଢେ ୭ ଘଣ୍ଟାଏ କାଳ ପ୍ରକଳ୍ପ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାନିଟାରିୟମ ଛକ ନିକଟରେ ଉତ୍ତର ପଟରେ ବସ ପାର୍କିଂ, କାର ପାର୍କିଂ, ପର୍ଯ୍ଯଟନ ସୁବିଧା କେନ୍ଦ୍ର, ଭେଣ୍ଡିଂ ଜୋନ, ଲିଙ୍ଗରାଜ ପୋଲିସ ଷ୍ଟେସନ ଆଦି ସ୍ପଟ ବୁଲି ଦେଖିଥିଲେ। ସେଠାକାର ଦୋକାନୀ ଓ ଭେଣ୍ଡରଙ୍କ ପାଇଁ ମଧ୍ଯ ସୁବିଧା କରାଯିବ। ସେମାନଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ଯ ଦିଆଯିବ।

ଏହାପରେ 5T ଅଧ୍ଯକ୍ଷ କୋଟିତୀର୍ଥେଶ୍ବରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତାର ସମୀକ୍ଷା କରିବା ସହ ଜମି ଅଧିଗ୍ରହଣ ଏବଂ ଡ୍ରେନ ନିର୍ମାଣ ନେଇ ଆଲୋଚନା କରିଥିଲେ। ଡ୍ରେନ ନିର୍ମାଣ ପାଇଁ ଆବଶ୍ଯକ ଜମି ଯୋଗାଇ ଦେବାକୁ ସେ ବିଏମସିକୁ ନିର୍ଦ୍ଦେଶ ମଧ୍ଯ ଦେଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ ଓ ଲିଙ୍ଗରାଜ ପ୍ଲାଜା ଅଞ୍ଚଳ ମଧ୍ଯ ବୁଲି ଅନୁଧ୍ଯାନ କରିଥିଲେ। ଶିବରାତ୍ରୀବେଳେ ମୂଳଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ମଧ୍ଯ ସେ ଫୋକସ କରିଛନ୍ତି। ସ୍ବଚ୍ଛ ପରିବେଶ ପାଇଁ ବ୍ଯାଟେରୀ ଚାଳିତ ଯାନ ବ୍ଯବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ 5T ଅଧ୍ଯକ୍ଷ ଦକ୍ଷିଣ ପାର୍ଶ୍ବ ପରିକ୍ରମା ଓ ବଢେଇ ବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ ରାସ୍ତା କାମ ମଧ୍ଯ ଅନୁଧ୍ଯାନ କରିଥିଲେ  ଏସବୁ ସ୍ଥାନରେ ସୁରୁଖୁରୁରେ ଯାତାୟାତ ପାଇଁ ସେ ଗୁରୁତ୍ବ ଦେଇଛନ୍ତି। ସୁଆଧ୍ଯାତ୍ମିକ ଭାବନା ନେଇ ଯେପରି ଶ୍ରଦ୍ଧାଳୁ ଫେରିବେ ସେ ନେଇ ଧ୍ଯାନ ରଖିବାକୁ ଅଧିକାରୀଙ୍କୁ କହିଥିଲେ। ସେଥିପାଇଁ ପରିକ୍ରମା କରିଡରରେ ଉଦ୍ଯାନ ଓ ପଥର କାରୁକାର୍ଯ୍ଯ କରିବାକୁ କହିଥିଲେ। ପୂରା ଦମରେ କାମ କରି ୨୦୨୫ ସୁଦ୍ଧା ସାରିବାକୁ ସେ ଟାର୍ଗେଟ ଦେଇଛନ୍ତି। ଏକାମ୍ର ପ୍ରକଳ୍ପ ବିଶାଳ ହୋଇଥିଲେ ବି ଶୀଘ୍ର ଶେଷ ହୋଇଯିବ ବୋଲି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିଛନ୍ତି ।

 

 

Latest Posts

Don't Miss