ଚିକିତ୍ସା ଅବହେଳାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସା ଅବହେଳାରୁ ଏକ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତ ଶିଶୁର ବାପାମାଆ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ ଆଣିଛନ୍ତି ଏମିତି ଅଭିଯୋଗ । ଚିକିତ୍ସା ଅଭାବରୁ ଶିଶୁର ଜୀବନ ଚାଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଶିଶିର ସାହୁଙ୍କ ସ୍ତ୍ରୀ ରିଲି ଦେହୁରୀ ଗର୍ଭବତୀ ଥିଲେ । ତାଙ୍କୁ ପ୍ରଥମେ ବଇଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରିଲିଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତୀ ବିଭାଗକୁ ଅଣାଯାଇଥିଲା । ସକାଳ ୭ଟାରେ ରିଲିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦେଖିବା ପରେ ଅଲଟ୍ରାସାଉଣ୍ଡ କରିବା ପାଇଁ ୧୦ଟା ବେଳେ ଯାଇଥିଲେ । ଦିନ ୨ ଘଟିକା ବେଳେ ସମସ୍ତ ରିପୋର୍ଟ ଆସିଥିଲା । ରିପୋର୍ଟ ଦେଖିବା ପରେ ପିଲା ଠିକ୍ ଅଛି ବୋଲି ଡାକ୍ତର କହିବା ସହ ଅପରାହ୍ନ ୫ଟାରେ ଅପରେସନ କରାଯିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଥିଲେ । ହେଲେ ସନ୍ଧ୍ଯା ସାଢ଼େ ୭ଟା ପରେ ଅପରେସନ କରାଯାଇଥିଲା । କିନ୍ତୁ ସେତେବେଳକୁ ରିଲିଙ୍କର ଗର୍ଭାସ୍ଥ ଶିଶୁର ମୃତ୍ୟୁ ଘଟି ସାରିଥିଲା ।
ପରିବାର ଲୋକେ ଚିକିତ୍ସା ଅବହେଳାରୁ ଏମିତି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି । ବଡ଼ ଅଭିଯୋଗ ହେଲା ରିଲି ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ବିଭିନ୍ନ ଟେଷ୍ଟ ପାଇଁ ତାଙ୍କୁ ବାରମ୍ବାର ସିଡିରେ ଉପର ତଳ କରାଯାଇଥିଲା । ଯାହାର ପ୍ରଭାବ ପିଲା ଉପରେ ପଡିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି ।