ପ୍ରଳୟଙ୍କରୀ ତୁର୍କୀ ଭୂକମ୍ପରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା, ଧ୍ବଂସାବଶେଷ ତଳେ ଫସି ରହିଛନ୍ତି ହଜାର ହଜାର ଲୋକ

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ତୁର୍କୀ ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁର ଗ୍ରାଫ । ମୋଟ ମୃତ୍ୟୁ ସଂଖ୍ୟା ୨୪ ହଜାର ଟପିଲାଣି । ଏବେ ବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଫସିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ଭୂକମ୍ପ ପ୍ରଭାବିତ ଅଞ୍ଚଳର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ୭୦ରୁ ଅଧିକ ରାଷ୍ଟ୍ରର ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ଗତ ୬ ତାରିଖ ସକାଳେ ତୁର୍କୀରେ ହୋଇଥିଲା ଭୂକମ୍ପ । ଆଜିକୁ ୫ ଦିନ ହେଲାଣି ମୃତ୍ୟୁସଂଖ୍ୟାରେ ଲଗାମ ଲାଗୁନି । ପ୍ରତିଦିନ ଭଙ୍ଗା କୋଠା ତଳୁ ଉଦ୍ଧାର ହେଉଛି ଅନେକ ମୃତଦେହ ।

ତୁର୍କୀ ଓ ସିରିଆର ସହାୟତା କରୁଛନ୍ତି ଅନେକ ଦେଶ । ଦିନ ରାତି ଏକ କରି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅପରେସନ ଦୋସ୍ତ ପର୍ଯ୍ୟାୟରେ ତୁର୍କୀରେ ନିଜର କରିସ୍ମା ଦେଖାଇବାରେ ଲାଗିଛନ୍ତି ଭାରତର ୫୧ ଜଣିଆ ସାହସୀ ଟିମ୍ । ଅନ୍ୟପକ୍ଷରେ ତୁର୍କୀକୁ ବଢିଛି ସହାୟତାର ହାତ । ବିଶ୍ବବ୍ୟାଙ୍କ ପକ୍ଷରୁ ୧.୭୮ ବିଲିୟନ ଡଲାରର ସହାୟତା ଘୋଷଣା କରାଯାଇଥିବାବେଳେ ଆମେରିକା ୮୫ ନିୟୁତ ଡଲାର ସହାୟତା ଲାଗି ଘୋଷଣା କରିଛି । ଭୟାନକ ଭୂକମ୍ପଜନିତ କ୍ଷତି ପରିମାଣ ୪ ବିଲିୟନ ଡଲାର ବୋଲି କରାଯାଇଛି ଆକଳନ ।