ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଭାଙ୍ଗି ଦେଖିବାରୁ ମିଳିଲା ଆଈ, ନାତିଙ୍କ ମୃତଦେହ

1 min read

ଜମଶେଦପୁର: କଲୋନୀରୁ ଦୁର୍ଗନ୍ଧ ଆସିବାରୁ ଲୋକେ ଭାବିଲେ ବୋଧେ କୌଣସି ଜୀବ ମରିପଡ଼ିଛି । ଖୋଜା ଖୋଜି ପରେ ଏକ ଘର ଭିତରୁ ଗନ୍ଧ ଆସିଥିବା ଜାଣିବାକୁ ପାଇଲେ ସ୍ଥାନୀୟ ଲୋକେ । ପୋଲିସକୁ ଡାକି ଘର କବାଟ ଭାଙ୍ଗିବା ପରେ ଘର ଭିତରୁ ମିଳିଲା ଆଈ ନାତିଙ୍କ ପଚିସଢ଼ି ଯାଇଥିବା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଜମଶେଦପୁର ସହରରେ ।

ଜମଶେଦପୁରର ଟେଲ୍କୋ ଥାନା ଅନ୍ତର୍ଗତ ଜେମକୋର ଏକ ଘରୁ ଗୁରୁବାର ଦିନ ଦୁଅଟି ପଚିସଢ଼ି ଯାଇଥିବା ଶବ ଉଦ୍ଧାର କରାଯାଇଛି । ଦୁହେଁ ଆଈ ନାତି ବୋଲି ଜଣାପଡ଼ିଛି । ରାତି ସମୟରେ ଜେମକୋ ଅଞ୍ଚଳରେ ଖୁବ ଜୋର ଦୁର୍ଗନ୍ଧ ହେବାକୁ ଲାଗିଲା । ଜୀବ ଜନ୍ତୁ ମରି ଗନ୍ଧ ହେଉଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ କିନ୍ତୁ ସେହି ଅଞ୍ଚଳର ଏକ ଘର ପାଖକୁ ଯିବାବେଳେ ଦୁର୍ଗନ୍ଧ ଘର ଭିତରୁ ଆସୁଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣାର ସତ୍ୟତା ପାଇଁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇ କବାଟ ଭାଙ୍ଗିଥିଲେ । କବାଟ ଭାଙ୍ଗିବା ପରେ ଜାଣିବାକୁ ପାଇଲେ ଉଭୟ ମୃତଦେହ ଆଈ ସାବିତ୍ରୀ ଦେବୀ (୬୫) ଏବଂ ନାତି ବିଜୟ କୁମାର (୧୬)ର ବୋଲି । ଉଭୟଙ୍କ ମୃତ୍ୟୁ ୪-୫ ଦିନ ତଳେ ହୋଇଥିବାରୁ ମୃତଦେହ ଦୁଇଟି ପଚିଯାଇଥିବା ପୋଲିସ ସୂଚନା ଦେଇଛି । ମୃତଦେହ ଦୁଇଟିକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନଥିବା ପୋଲିସ ସୂଚନା ଦେଇଛି ।

Leave a Reply