ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ, ନେଲେ ଆଶୀର୍ବାଦ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି । ନବୀନ ନିବସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଖରୁ ଆଶୀର୍ବାଦ ନେଇଛନ୍ତି ।

ସାକ୍ଷାତ ପରେ ଦୀପାଳି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି । ବିଜେଡି ଏକ ଦକ୍ଷ ଦଳ । ବାପା ନବକିଶୋର ଦାସଙ୍କ ପରେ ବିଜେଡି ମୋ ଉପରେ ଭରସା କରିଥିବାରୁ ବହୁତ ଖୁସି । ଏଥର ଆମେ ଝାରସୁଗୁଡ଼ାରେ ବହୁ ଭୋଟରେ ଜିତିବୁ । ବାପାଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ କାର୍ଯ୍ୟଧାରା ସବୁବେଳେ ଲୋକଙ୍କ ହିତ ସାଧନ କରିଛି । ଏଣୁ ଆମେ ବହୁ ଭୋଟରେ ବିଜୟୀ ହେବୁ ।’

ବାପା ଝାରସୁଗୁଡା ପାଇଁ ଦେଖିଥିବା ସ୍ବପ୍ନକୁ ପୂରଣ କରିବି । ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି । ବିଜେଡିର ପ୍ରାର୍ଥୀ ହୋଇଥିବାରୁ ମୁଁ ଗର୍ବିତ । ଲୋକମାନେ ବିଜେଡିକୁ ସମର୍ଥନ କରୁଛନ୍ତି । ଲୋକମାନେ ହିଁ ବିଜୟୀ ହେବେ ବୋଲି ଦୀପାଳି କହିଛନ୍ତି ।