ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ, ଲୋକଙ୍କ ପାଇଁ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ନବୀନ ନିବାସରେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ଆଶୀର୍ବାଦ ନେଇଛନ୍ତି । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଦୀପାଳି କହିଥିଲେ ଯେ ଏ ବିଜୟ ଝାରସୁଗୁଡ଼ାବାସୀଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜର ସ୍ୱପ୍ନ ପୂରଣ ହେବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି । ଦୀପାଳି କହିଛନ୍ତି ମୋର ସୌଭାଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋତେ ଝିଅ ଭଳି ଭାବୁଛନ୍ତି । ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ହାତ ମୋ ମୁଣ୍ଡରେ ରହିଛି । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ଦୀପାଳିଙ୍କ ବିଜୟକୁ ନେଇ ଉତ୍ସବ ମନାଉଛି ବିଜେଡି । ଝାରସୁଗୁଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଜୟ ଉତ୍ସବ ମନାଉଛି ବିଜେଡି ।