ପୁଣି ବଢିଲା ରାହୁଲ ଗାନ୍ଧୀଙ୍କ ଅଡୁଆ, ମାନହାନି ମାମଲାରେ ସମନ କଲେ କର୍ଣ୍ଣାଟକ କୋର୍ଟ

1 min read

ନୂଆଦିଲ୍ଲୀ: ଏକ ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ସମନ ଜାରି କରିଛନ୍ତି । IPCର ଧାରା ୪୯୯ ଏବଂ ଧାରା ୫୦୦ ଅନୁଯାୟୀ ଏହି ମାମଲାକୁ ଗ୍ରହଣ କରି ବେଙ୍ଗାଲୁରୁର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଶୁଣାଣି ପାଇଁ ଜୁଲାଇ ୨୭କୁ ଦିନ ଧାର୍ଯ୍ୟ କରିଛନ୍ତି । ଅପରାଧିକ ମାମଲାର ଶୁଣାଣି ପାଇଁ ଏହି ସ୍ୱତନ୍ତ୍ର ଅଦାଲତ ଗଠନ କରାଯାଇଛି । ମେ’ ୯ରେ ରାଜ୍ୟ ବିଜେପିର ସମ୍ପାଦକ ଏସ୍ କେଶବପ୍ରସାଦ ମାନହାନି ମାମଲା ଦାୟର କରିଥିଲେ । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ବିଜ୍ଞାପନରେ ମିଥ୍ୟା ଅଭିଯୋଗ ଯୋଗୁଁ ବିଜେପିର ଛବି ଖରାପ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କେପିସିସି ପ୍ରମୁଖ ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲା । ଏହି ବିଜ୍ଞାପନରେ ଦାବି କରାଯାଇଥିଲା ଯେ ପୂର୍ବତନ ବିଜେପି ସରକାର ୪୦ ପ୍ରତିଶତ ଦୁର୍ନୀତିରେ ସମ୍ପୃକ୍ତ ଏବଂ ଗତ ଚାରି ବର୍ଷ ମଧ୍ୟରେ ରାଜ୍ୟ ରାଜକୋଷରୁ ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଛି । ବିଜେପି ନେତା ଏସ୍ କେଶବ ପ୍ରସାଦ ଅଭିଯୋଗରେ କହିଛନ୍ତି ଯେ, କଂଗ୍ରେସର ବିଜ୍ଞାପନରେ ହୋଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ । କୋର୍ଟ ମାମଲାର ଶୁଣାଣି କରିବା ସହ ସମନ କରିଛନ୍ତି ।