ଲୁଚକାଳି ଖେଳ ପରେ ଶେଷରେ ଗିରଫ ହେଲେ ବାବା ଚୈତନ୍ୟାନନ୍ଦ
1 min read
ନନ୍ଦିଘୋଷ ବ୍ୟୁରୋ : ଗିରଫ ହେଲେ ବାବା ସ୍ୱାମୀ ଚୈତନ୍ୟାନନ୍ଦ । ଗତକାଲି ବିଳମ୍ବିତ ରାତିରେ ଆଗ୍ରାରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ଏବଂ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ । ସ୍କଲାରସିପ ଏବଂ ପିଜିିଡିଏମ କରାଇବାକୁ କହି ବାବା ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ବାବା କିପରି ଛାତ୍ରୀମାନଙ୍କୁ ଫୁସୁଲାଉଥିଲେ ତାହାର ଖୁଲାସା କରିଥିଲେ ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ ରିସର୍ଚ୍ଚର ଜଣେ ପୂର୍ବତନ ଛାତ୍ରୀ । ମାଗଣା ବିଦେଶ ଯାତ୍ରା, ଆଇଫୋନ, ଆରାମଦାୟକ କାର୍ ସେବା, ଲାପଟପ ଆଦି ଛାତ୍ରୀମାନଙ୍କୁ ଯୋଗାଉଥିବା କହିଥିଲେ ପୂର୍ବତନ ଛାତ୍ରୀ । ତେବେ ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଛାତ୍ରୀଙ୍କୁ ବସନ୍ତକୁଞ୍ଜସ୍ଥିତ ପ୍ରତିଷ୍ଠାନରୁ ବାହାର କରି ଦିଆଯାଇଥିଲା। ଏପରିକି ଆଡମିଶନ ସମୟରେ ଛାତ୍ରୀଙ୍କୁ ବିଭିନ୍ନ ମିଛ କୁହାଯାଉଥିଲା । ଛାତ୍ରୀମାନଙ୍କୁ ଅଧିକ ମାର୍କ ଦେବା, ବିଦେଶରେ ଇଣ୍ଟର୍ଣ୍ଣସିପ, ଭଲ ଜାଗାରେ ପ୍ଲେସମେଣ୍ଟ ଲାଗି ଲୋଭ ଦେଖାଯାଉଥିଲା। ଯେଉଁମାନେ ଏହାକୁ ଗ୍ରହଣ କରୁଥିଲେ ସେମାନେ ନାନା ସୁବିଧା ପାଉଥିଲେ। ଯେଉଁମାନେ ମନା କରୁଥିଲେ ସେମାନେ କ୍ଷତିର ଶିକାର ହେଉଥିଲେ। ବାବା ଛାତ୍ରୀମାନଙ୍କ ସହ ୱାନ-ଟୁ-ୱାନ କଥା ହେଉଥିଲେ। ଯେଉଁମାନଙ୍କୁ ଟାର୍ଗେଟ କରାଯାଉଥିଲା ସେମାନଙ୍କୁ ବାବାଙ୍କ ଅଫିସକୁ ଯିବା ଲାଗି କୁହାଯାଉଥିଲା। ବର୍ତ୍ତମାନ ପ୍ରତିଷ୍ଠାନରେ କାର୍ଯ୍ୟରତ କିଛି କର୍ମଚାରୀ ପୂର୍ବତନ ଛାତ୍ରୀ ବୋଲି ସୂଚନା ମିଳିଛି । କିଛି ଛାତ୍ରୀଙ୍କୁ ବେବି, ସୁଇଟ ଗାର୍ଲ ବୋଲି ବାବା ସମ୍ବୋଧନ କରୁଥିଲେ । ଛାତ୍ରୀମାନଙ୍କର ଓରିଜିନାଲ ଡକ୍ୟୁମେଣ୍ଟ ପ୍ରତିଷ୍ଠାନରେ ରଖାଯାଉଥିଲା । ଫଳରେ ପିଲାଙ୍କୁ ଧମକାଇବା ସହଜ ହେଉଥିଲା। ପ୍ରତିଷ୍ଠାନରେ ୧୭୦ ସିସିଟିଭି କ୍ୟାମେରା ଲାଗିଥିଲା। ସିସିଟିଭି ଉପରେ ବାବାଙ୍କ ନଜର ଥିଲା। ବାବାଙ୍କ ଏମଫିଲ୍ ଡିଗ୍ରୀ ଫେକ୍ ଥିବା ସୂଚନା ମିଳିଥିଲା । ଏହି ଅଭିଯୋଗ ପରେ ବାବା ଫେରାର ଥିଲେ । ତାଙ୍କୁ ଧରିବା ଲାଗି ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଦେଶ ଛାଡ଼ ଚାଲି ନଯିବା ଲାଗି ଲୁକ ଆଉଟ ନୋଟିସ ଜାରି ହୋଇଥିଲା। ଶେଷରେ ଆଗ୍ରାରୁ ବାବା ସ୍ୱାମୀ ଚୈତନ୍ୟାନନ୍ଦଙ୍କୁ ଗିରଫ କରିଛି ପୋଲିସ।