ପଞ୍ଜାବ ଚାଷୀଙ୍କ ନୂଆ ଉପାୟ, ଆଜିଠାରୁ ରାଜ୍ୟ ବିଜେପି ନେତାଙ୍କ ବାସଭବନ ଘେରାଉ

1 min read

ନୂଆଦିଲ୍ଲୀ: କେନ୍ଦ୍ରର ସମସ୍ତ ଉଦ୍ୟମ ପରେ ବି ଥମୁନି ଚାଷୀ ଆନ୍ଦୋଳନ। ଜିଦରେ ଅଟଳ ଅନ୍ନଦାତା। ଆସନ୍ତା ୨୧ରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଡାକରା।
MSP ଗ୍ୟାରେଣ୍ଟି ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ ସଂଗଠନ। ୪ ଫସଲ ଉପରେ ଏମଏସପି ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛନ୍ତି ଚାଷୀ ସଂଗଠନ। ସେପଟେ ଦାବି ପୂରଣ ଲାଗି ପଞ୍ଜାବ ଚାଷୀଙ୍କ ନୂଆ ତରିକା ।

ରାଜ୍ୟ ବିଜେପି ନେତାଙ୍କ ବାସଭବନକୁ ଆଜିଠାରୁ ଘେରାଉ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । କୃଷକ ନେତା ବଲବୀର ସିଂ ରାଜେଓ୍ବାଲଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଘେରାଉ କରିବେ । ଏହା ସହ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ଟୋଲଗେଟକୁ ଟୋଲ ଫ୍ରି କରିଦିଆଯିବ ।

37ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଘୋଷଣା କେନ୍ଦ୍ର ଉପରେ ଅଧିକ ଚାପ ପକାଇବା ଆଶା କରାଯାଉଛି । ତେଣେ କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି । ତେଣେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି- ଗତ ୧୮ ତାରିଖରେ ଚାଷୀ ନେତାଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିଲା ।

କୃଷକ ନେତାମାନେ କେତେକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଯାହାକି ପଞ୍ଜାବ ଓ ହରିଆଣା ଚାଷୀଙ୍କ କଲ୍ଯାଣ କରିବ । ଏହା ସହ ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କିଣିବା ଲାଗି ଚାଷୀଙ୍କ ସହ ଏକ ୫ ବର୍ଷିଆ ଆଇନଗତ ରାଜିନାମା କରିବା ଲାଗି ଭାରତର କପା ନିଗମ ପଦକ୍ଷେପ ନେବ । ସେହିପରି ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ 5 ବର୍ଷିଆ ଚୁକ୍ତି କରିବେ । ସଂଗ୍ରହ ହେଉଥିବା ସାମଗ୍ରୀ ପରିମାଣରେ କୌଣସି ସୀମା ରହିବ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।