ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

1 min read

ନୂଆଦିଲ୍ଲୀ : ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ ହୋଇଥିବା ସାନି ଅଭିଯୋଗ କ୍ରମେ କୋର୍ଟରେ ସେ ହେବେ ହାଜର । ଅତିରିକ୍ତ ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ଯା ମାଲହୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସେ କୋର୍ଟରେ ହାଜର ହେବେ । ଦିଲ୍ଲୀ ମଦନୀତି ମାମଲାରେ ବାରମ୍ବାର ସମନ ସତ୍ତ୍ବେ ଇଡିରେ ହାଜର ହେଉନଥିବା କାରଣକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏସଂକ୍ରାନ୍ତରେ ଗତ ଫେବୃଆରୀ 3 ତାରିଖରେ କୋର୍ଟ ନିକଟରେ ଅଭିଯୋଗ ଦାୟର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଦର୍ଶାଇଛି- ମଦନୀତି ମାମଲାରେ ଜଣେ ସାକ୍ଷୀ କିମ୍ବା ଜଣେ ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାର ଆଇନଗତ ଅଧିକାର କେଜ୍ରିଓ୍ବାଲଙ୍କ ନିକଟରେ ନାହିଁ । ସେ ଇଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବେ ସମନଗୁଡିକୁ ଅବମାନନା କରିଚାଲିଛନ୍ତି ଯାହାକି ଆଇପିସିର ଧାରା 174ର ଉଲ୍ଲଂଘନ ବୋଲି ଇଡି ଦର୍ଶାଇଛି ।

ଇଡିର ପ୍ରଥମ ଅଭିଯୋଗ କ୍ରମେ କୋର୍ଟରେ ସଶରୀରେ ହାଜର ହେବା ଲାଗି ଗତ ଫେବୃଆରୀ 7ରେ କେଜ୍ରିଓ୍ବାଲଙ୍କୁ ନୋଟିସ ଦେଇଥିଲେ କୋର୍ଟ । ଇଡିରେ ହାଜର ହେବା ଆଇନଗତ ଭାବେ ବାଧ୍ଯତାମୂଳକ ବୋଲି କୋର୍ଟ କହିଥିଲେ । ଗତବର୍ଷ ନଭେମ୍ବର 2ରୁ କେଜ୍ରିଓ୍ବାଲଙ୍କ ବିରୋଧରେ ବହୁଥର ସମନ ଜାରି ହୋଇଥିଲେ ବି ଇଡିରେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ପୂର୍ବରୁ ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ।