ସିସୋଦିଆଙ୍କ ଗିରଫକୁ ବିରୋଧ କରି ସାତ ଘଣ୍ଟା ଧ୍ୟାନରେ ବସିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ :  ଧ୍ୟାନରେ ବସିଲେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସାରା ଦେଶ ପାଇଁ ପ୍ରାର୍ଥନା ପାଇଁ  ଏଭିଳି ପଦକ୍ଷେପ ନେଇଛନ୍ତି ଆପ୍ ମୁଖ୍ୟ । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବା ଆରମ୍ଭ କରିଛନ୍ତି । ଦେଶର ଶୁଭ କାମନା କରି ସେ ଏଭଳି କରିଛନ୍ତି ।ଏଥି ସହିତ ସେ  ତାଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତେନ୍ଦ୍ର ଜୈନଙ୍କୁ ଗିରଫ ପ୍ରତିବାଦ ପାଇଁ ମଧ୍ୟ ଧ୍ୟାନରେ ବସିଛନ୍ତି  ।

ଧ୍ୟାନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଛନ୍ତି କି, ଯିଏ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରୁଛି ତାକୁ ପ୍ରଧାନମନ୍ତ୍ରୀ ଜେଲ ପଠାଉଛନ୍ତି । ହେଲେ ଯେଉଁମାନେ କୋଟି କୋଟି ଟଙ୍କା ଲୁଟିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖୁଛନ୍ତି ।

କେଜ୍ରିୱାଲ ମଙ୍ଗଳବାର ଦିନ କହିଥିଲେ କି,  ହୋଲି ଅବସରରେ ସେ ପୁରା ଦେଶ ପାଇଁ ପ୍ରାର୍ଥନା କରିବେ । ସେ ଦାବି କରିଥିଲେ କି ଦେଶପାଇଁ ଯିଏ ଭଲ କାମ କରୁଛି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି ।