ମାର୍ଚ୍ଚ ୨୮ ଯାଏଁ ଇଡି ହେପାଜତକୁ ଗଲେ କେଜ୍ରିଓ୍ବାଲ, କହିଲେ- ଜେଲରେ ରହି ବି ଦେଶ ପାଇଁ କାମ କରିବି

1 min read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆପକୁ ଝଟକା । ମଦନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଦଳରେ ନୈରାଶ୍ୟ । କେଜ୍ରିୱାଲ କହିଛନ୍ତି, ତାଙ୍କ ଜୀବନ ଦେଶ ଲାଗି ଉତ୍ସର୍ଗୀକୃତ । ତେଣେ ଦୁର୍ନୀତିରେ କେଜ୍ରିୱାଲ ସମ୍ପୃକ୍ତ ବୋଲି କୋର୍ଟରେ ଦର୍ଶାଇଛି ଇଡି । ଆସନ୍ତା ମାର୍ଚ୍ଚ ୨୮ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ଯାଇଛନ୍ତି କେଜ୍ରିୱାଲ ।

‘ମୋ ଜୀବନ ଦେଶ ଲାଗି ଉତ୍ସର୍ଗୀକୃତ । ଜେଲରେ ରହି ସୁଦ୍ଧା ଦେଶ ପାଇଁ କାମ କରିବି ।’ ମଦନୀତି ମାମଲାରେ ଗିରଫ ହେବା ପରେ ଏହି ମନ୍ତବ୍ଯ ଦେଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶ ଇତିହାସରେ ପ୍ରଥମ ଥର ଲାଗି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଆଜି ନ୍ୟୁ ରାଉସ ଆଭେନ୍ଯୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଇଡି କହିଛି- ମଦନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମଦ ଦୁର୍ନୀତି ପରିମାଣ ୧୦୦ କୋଟି ନୁହଁ, ୬୦୦ କୋଟି । ଏହି ଟଙ୍କା ପଞ୍ଜାବ ଓ ଗୋଆ ନିର୍ବାଚନରେ ବ୍ୟୟ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା ।

କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଦିଲ୍ଲୀ, ପଞ୍ଜାବ ଓ ଗୋଆ ସମେତ ଅନ୍ଯାନ୍ଯ ସ୍ଥାନରେ ଜୋରଦାର ପ୍ରତିବାଦ କରିଛନ୍ତି ଆପ୍ କର୍ମୀ । ବିଭିନ୍ନ ସ୍ଥାନରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ଼ କରିଛି ପୋଲିସ । ତେଣେ ଦିଲ୍ଲୀ ଆଲିପୁର ଥାନାରେ ଆପ କର୍ମୀଙ୍କୁ ବି ଅଟକ ରଖିଥିଲା ପୋଲିସ ।

ଏବେ ପ୍ରଶ୍ନ ଉଠୁଛି କେଜ୍ରିଓ୍ବାଲଙ୍କ ପରେ କିଏ ନେବେ ଆପ୍ ନେତୃତ୍ବ ? କିଏ ହେବେ ପରବର୍ତ୍ତୀ ସିଏମ । ଚର୍ଚ୍ଚାରେ ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ନାଁ । ସେ ଜଣେ ପୂର୍ବତନ ଆଇଆରଏସ ଅଧିକାରୀ । ସେହିପରି ଶିକ୍ଷା, ଅର୍ଥ, ପୂର୍ତ୍ତ, ରାଜସ୍ବ ବିଭାଗ ମନ୍ତ୍ରୀ ଆତିଶି ଓ ସ୍ବାସ୍ଥ୍ୟ ଓ ନଗର ବିକାଶ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ଉପରେ ରହିଛି ନଜର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନାଁ ବି ରହିଛି ଚର୍ଚ୍ଚାରେ ।

ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫ ଆପ୍ ମହଲରେ ସୃଷ୍ଟି କରିଛି ଝଡ଼ । ନିକଟ ଇତିହାସ କହୁଛି ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରି କେଜ୍ରିୱାଲଙ୍କୁ ମିଳି ନପାରେ ଜାମିନ ।