କରୋନାର ତୃତୀୟ ଲହରୀ: ଦିନକରେ ୭ ହଜାର ୪୮୬ ନୂଆ ପଜିଟିଭ୍ ଚିହ୍ନଟ, ୧୩୧ ମୃତ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଅସମ୍ଭାଳ ହେଉଛି ପରିସ୍ଥିତି । କରୋନା ସହ ବାୟୁ ପ୍ରଦୂଷଣରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଦିଲ୍ଲୀବାସୀ । ଏବେ ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଜାରି ରହିଛି । ଏବଂ ଗତ ୧୫ ଦିନ ମଧ୍ୟରେ ଲକ୍ଷେରୁ ଅଧିତକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧୩୧ ଜଣଙ୍କର ଜୀବନ ନେଇଛି କରୋନା । ଦୈନିକ ମୃତ୍ୟୁରେ ଏହା ରେକର୍ଡ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୮୪୩କୁ ବୃଦ୍ଧି ପାଇଛି ।

ଦିନକରେ ୭ ହଜାର ୪୮୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ୫ ଲକ୍ଷ ପାର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ଦିନ ଟେଷ୍ଟ କରାଯାଇଥିବା ନମୂନା ମଧ୍ୟରୁ ୧୨ ଦଶମିକ ୦୩ ପ୍ରତିଶତ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଗତ ୧୧ ତାରିଖରେ ସର୍ବାଧିକ ୮ ହଜାର ୫୯୩ ମାମଲା ରେକର୍ଡ କରାଯାଇଥିଲା । ଦିଲ୍ଲୀରେ କୋଭିଡ୍ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୦ଟି ଟିମ୍ ଗଠନ କରାଯାଇଛି । ଟେଷ୍ଟିଂ କ୍ଷମତା ସହ ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା ନେଇ ଟିମ୍ ତଦାରଖ କରିବ ।

ସେପଟେ ଦିଲ୍ଲୀରୁ ନୋଏଡା ଯାଉଥିବା ଲୋକଙ୍କ ରାଣ୍ଡମ୍‌ ଟେଷ୍ଟ କରାଯାଉଛି । ନୋଏଡା ପ୍ରଶାସନର ମେଡିକାଲ୍ ଟିମ୍ ଦିଲ୍ଲୀ-ନୋଏଡା ସୀମାରେ ମୁତୟନ ହୋଇଛନ୍ତି । କରୋନା ସଂକ୍ରମଣକୁ ଆଖିରେ ରଖି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

Leave a Reply