ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦଣ୍ଡ ଘୋଷଣା

ଚଣ୍ଡିଗଡ଼: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇଏନଏଲଡି ସୁପ୍ରିମୋ ଓମ୍ ପ୍ରକାଶ ଚୌତାଲାଙ୍କ ଆୟବହିର୍ଭୁକ୍ତ ସମ୍ପତ୍ତି ମାମଲା । ଆଜି ଚୌତାଲାଙ୍କ ବିରୋଧରେ ହେବ ଦଣ୍ଡ ଘୋଷଣା । ଗତକାଲି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ ନୂଆଦିଲ୍ଲୀସ୍ଥିତ ଦି ରାଉଜ ଆଭେନ୍ୟୁ କୋର୍ଟ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଚୌତାଲା । ସ୍ୱାସ୍ଥ୍ୟଗତ ଦୁର୍ବଳତା, ବୟସ ଆଦିକୁ ଦୃଷ୍ଟିରେ ରଖି ଦଣ୍ଡ ଘୋଷଣା କରିବାକୁ ସେ ଅନୁରୋଧ କରିଛନ୍ତି । ଜେବିଟି ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଚୌତାଲାଙ୍କ ସପକ୍ଷରେ ଲଢ଼ୁଛନ୍ତି ହର୍ଷ କୁମାର ଶର୍ମା । ଗତ ୨୦୦୫ରେ ଘଟିଥିବା ଦୁର୍ନୀତି ମାମଲାର ଶୁଣାଣି କ୍ରମେ ଗତ ମେ’ ୨୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଚୌତାଲା । ୨୦୧୦ ମାର୍ଚ୍ଚ ୨୬ରେ ଏହି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ସିବିଆଇ ତଦନ୍ତରୁ ଜାଣିପାରିଥିଲା ୧୯୯୩ରୁ ୨୦୧୦ ମଧ୍ୟରେ ସାତ ଥରର ବିଧାୟକ ଚୌତାଲା ୬ କୋଟି ୯ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ । ଗତ ୨୦୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ୩ କୋଟି ୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିବା ସହ ନୂଆଦିଲ୍ଲୀ, ପଞ୍ଚକୁଲା ଓ ସିର୍ସାରେ ଥିବା ଫ୍ଲାଟ ଓ ପ୍ଲଟ ଜବତ କରିଥିଲା । ପରେ ୨୦୧୩ରେ ଜେବିଟି ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତବର୍ଷ ଜୁଲାଇରେ ସେ ତିହାର ଜେଲରୁ ବାହାରିଥିଲେ । ଓମ୍ ପ୍ରକାଶ ଚୌତାଲା ହରିଆଣାର ୪ ଥର ମୁଖ୍ୟମନ୍ତ୍ରୀ ଥିଲେ ।