ତୃତୀୟ ଲହର ପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଲେ ଦିଲ୍ଲୀ ହାଇକୋର୍ଟ

1 min read

ନୂଆଦିଲ୍ଲୀ: ଅବହେଳା କାରଣରୁ ଦ୍ୱିତୀୟ ଲହରର ଭୟାବହତା ସତ୍ତ୍ୱେ ସୁଧୁରି ନାହାଁନ୍ତି ଲୋକେ । ଦ୍ୱିତୀୟ ଲହରୀ ଅନେକ ଲୋକଙ୍କ ଜୀବନ ନେଇଥିବା ବେଳେ ସେଥିରୁ ଶିକ୍ଷା ପାଇ ନାହାଁନ୍ତି ଏମାନେ। ପ୍ରତିବନ୍ଧକ ହଟିବା ମାତ୍ରେ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହେଉଛନ୍ତି । ଆଶ୍ଚର୍ଯ୍ୟର କଥା, ସେମାନେ ମାସ୍କ ପିନ୍ଧିବାକୁ ମଧ୍ୟ ଚାହୁଁ ନାହାଁନ୍ତି । ତେଣୁ ଏନେଇ ତତ୍ପରତା ଦେଖାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସହର ବଜାରରେ ପ୍ରବଳ ଜନଗହଳି କୋଭିଡ୍-୧୯ ତୃତୀୟ ପ୍ରବାହକୁ ତ୍ବରାନ୍ବିତ କରିବ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଛନ୍ତି।

ଲୋକମାନଙ୍କ ଅବହେଳା କାରଣରୁ ଖୁବ ଶିଘ୍ର ଆସିପାରେ ତୃତୀୟ ଲହରୀ । ମାସ୍କ୍‌ ପିନ୍ଧି ନ ଥିବା ଏବଂ କୋଭିଡ୍-୧୯ ନିୟମାବଳି ଅବଜ୍ଞା କରୁଥିବା ସହର ବଜାରର ଫଟୋ ସବୁ ‘ହ୍ବାଟ୍‌ସ୍‌ଆପ୍‌’ରେ ଘୁରି ବୁଲୁଥିବା ଦେଖି ଦିଲ୍ଲୀ ହାଇକୋର୍ଟ ଚିନ୍ତା ବ୍ୟକ୍ତ କରିବା ସହ ତୃତୀୟ ଲହର ପ୍ରଭାବ ଆଶଙ୍କା ପ୍ରତି ଅବଗତ ହୋଇ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି।

ଏନେଇ ଏକ ‘ଷ୍ଟାସଟ୍‌ ରିପୋର୍ଟ’ ଫାଇଲ୍‌ କରିବା ପାଇଁ ଅଦାଲତ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦେଇଥିବା ନୋଟିସ୍‌ରେ ପ୍ରକାଶ କରିଛନ୍ତି । ନୋଟିୟ ଅନୁସାରେ ହାଇକୋର୍ଟ କହିଛି ଯେ, କୋଭିଡ୍-୧୯ ମାମଲାକୁ ଅଧିକ ନ ବ୍ୟାପିବାକୁ ଦେବାପାଇଁ ରାଜଧାନୀରେ ଅପେକ୍ଷାକୃତ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ବିଚାରପତି ନବୀନ ଚାୱଲା ଏବଂ ଆଶା ମେନନଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, କୋଭିଡ୍ ନିୟମାବଳିର ଏଭଳି ଉଲ୍ଲଂଘନ ତୃତୀୟ ପ୍ରବାହକୁ ନିମନ୍ତ୍ରଣ କରିବା ସହ ସମାନ । ତେଣୁ କୌଣସି ବି ପରିସ୍ଥିତିରେ ଏମିତି ନ କରାଇଦେବା ଉଚିତ ।

ତେଣୁ ଏସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ କଠୋର କଟକଣା ଲାଗୁ କରିବା, ଦୋକାନୀମାନଙ୍କୁ ସଚେତନ କରିବା ଏବଂ ଏ ବିଷୟରେ ବଜାର ଓ ଉଠାଦୋକାନୀ ସଂଘମାନଙ୍କ ସହ ବୈଠକ କରିବା ପାଇଁ ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

Leave a Reply