ଚାଷୀ ଆନ୍ଦୋଳନ ପାର୍ଟ-୨: ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାର୍ଟ-୨ । ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । କିଷାନ ମହାପଞ୍ଚାୟତରେ କେନ୍ଦ୍ର ବିରୋଧରେ ଗର୍ଜନ କରିବେ ଚାଷୀ । ଦେଶର ବିଭିନ୍ନ ରାଜ୍ୟରୁ ଚାଷୀମାନେ ଏକାଠି ହୋଇଥିବା ବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବଥର ଆନ୍ଦୋଳନ ପ୍ରତ୍ୟାହର ପାଇଁ ଚାଷୀଙ୍କୁ ସରକାର ତାମାମ ପ୍ରତିଶ୍ରୁତି ଦେଇଥିଲେ ବି ସେଗୁଡ଼ିକ ପୂରଣ କରାଯାଇ ନଥିବା ବେଳେ, ଏମଏସପି ଗ୍ୟାରେଣ୍ଟି ପାଇଁ ଚାଷୀମାନେ ଆନ୍ଦୋଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ନୀତି ଚାଷୀଙ୍କୁ ସୁହାଉ ନଥିବା ବେଳେ କାହା ସ୍ବାର୍ଥରେ ଏଭଳି ନୀତି ପ୍ରସ୍ତୁତ କରାଯାଇଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ମହାପଞ୍ଚାୟତ ଡାକରା ଦିଆଯାଇଥିବା ବେଳେ ଆଜି ପ୍ରାୟ ୫୦ହଜାର ଚାଷୀ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । କୃଷି କାର୍ଯ୍ୟ ପାଇଁ ଖର୍ଚ୍ଚ ବଢ଼ିଥିବା ବେଳେ ଲାଭ ମିଳୁ ନଥିବାରୁ ୮୦ପ୍ରତିଶତ ଚାଷୀ ଋଣ ବୋଝରେ ବୁଡ଼ି ରହିଛନ୍ତି । ଫଳରେ ପ୍ରତିବର୍ଷ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଚାଷୀଙ୍କୁ ଋଣ ଛାଡ ଓ ଚାଷ କାର୍ଯ୍ୟରେ ବ୍ୟବହୃତ ସାର ଔଷଧ ମୂଲ୍ୟ କମ୍ କରିବାକୁ ଦାବି ରଖିଛି କୃଷକ ସଂଗଠନ । ଏହାସହ ବିଜୁଳି ସଂଶୋଧନ ବିଧେୟକ ୨୦୨୨କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ଚାଷୀ ଦାବି କରିଛନ୍ତି ।