spot_img

Latest Posts

ବାୟୋମେଟ୍ରିକ୍ ସିଷ୍ଟମ କାମ ନକରିବାରୁ ଲାଇବ୍ରେରୀରୁ ବାହାରି ପାରିଲେନି ଛାତ୍ରୀ !

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ରନଗରରେ ଥିବା ଆଇଏଏସ କୋଚିଂ ସେଣ୍ଟରରେ ବଡ଼ ଅଘଟଣ। ଶନିବାର ଦିନ ‘ରାଓ ଆଇଏଏସ୍ କୋଚିଂ ସେଣ୍ଟର’ର ବେସମେଣ୍ଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ୩ ଛାତ୍ରୀଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ରହିଛନ୍ତି । ତେବେ ଏଠାରେ ପରିସ୍ଥିତି ଏତେ ସଙ୍ଗୀନ ହୋଇଯାଇଥିଲା ଯେ, ଛାତ୍ରଛାତ୍ରୀଙ୍କୁ ଠିକ୍ ସମୟରେ ବାହାରକୁ ଅଣାଯାଇ ପାରିନଥିଲା।

ଏହି ଦୁର୍ଘଟଣାକୁ ନେଇ ରାଓ ଆଇଏଏସ କୋଚିଂରେ ପଢୁଥିବା ଛାତ୍ରମାନେ ପ୍ରତିବାଦ କରିଛନ୍ତି। ଏହି ଦୁର୍ଘଟଣା କାହିଁକି ଘଟିଲା ? କୋଚିଂ ସେଣ୍ଟରର ବେସମେଣ୍ଟରେ କିପରି ପାଣିରେ ଭରିଗଲା ଏବଂ କାହିଁକି ଏହି ଛାତ୍ରମାନେ ଠିକ୍ ସମୟରେ ସେଠାରୁ ବାହାରି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।
ଘଟଣା ସ୍ଥଳରେ ଅନେକ କ୍ରୋଧିତ ଛାତ୍ର ଏବଂ ଅଭିଭାବକମାନେ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ରୋଧିତ ଥିବା ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟ ଜଣେ ଛାତ୍ର କହିବା ଅନୁଯାୟୀ, ରାଓ କୋଚିଂ ସେଣ୍ଟରର ଲାଇବ୍ରେରୀ ବେସମେଣ୍ଟରେ ରହିଛି। ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟେ ଭିତରେ ଜଳ ପ୍ରବେଶ କରିଥିଲା । ଦେଖୁ ଦେଖୁ ଜଳସ୍ତର ବଢିବାକୁ ଲାଗିଲା । ଲାଇବ୍ରେରୀରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ସେଠାରେ ଫସି ରହିଯାଇଥିଲେ । ଛାତ୍ରମାନେ କହିଛନ୍ତି ଯେ, କୋଚିଂ ସେଣ୍ଟରରୁ ଏଣ୍ଟ୍ରି-ଏଗଜିଟ୍ ରେକର୍ଡ କରିବା ପାଇଁ ଫାଟକରେ ଏକ ବାୟୋମେଟ୍ରିକ୍ ସିଷ୍ଟମ୍ ଲଗାଯାଇଛି । ବେସମେଣ୍ଟରେ ପାଣି ଭରିବା କାରଣରୁ ଏହା କାମ କରିନଥିଲା । ଯାହାଫଳରେ ଛାତ୍ରମାନେ ଭିତରେ ଫସି ରହିଥିଲେ।

କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ପାଣିରେ ଫସି ରହିଥିବା  ଛାତ୍ରମାନେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

ଏହି ସମସ୍ତ ପ୍ରଶ୍ନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମନରେ ଉଙ୍କି ମାରିଛି । ତେବେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି।

Latest Posts

Don't Miss