spot_img

Latest Posts

ରାଜ୍ୟରେ ଆରମ୍ଭ ହେଲା ଡେଙ୍ଗୁ ସଂକ୍ରମଣ, ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଡେଙ୍ଗୁ ସଂକ୍ରମଣ। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଜାରି କରିଛି । ବିଗତ ୫ବର୍ଷ ଭିତରେ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା, ତାହାକୁ କୀଟତତ୍ତ୍ବବିତଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ଦେଖିବାକୁ ମିଳିଥାଏ। ଏଥିପାଇଁ ଆଗୁଆ ସତର୍କ ରହିବା ସହ ଔଷଧ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।।

ଜିଲ୍ଲା ଓ ମ୍ୟୁନିସିପାଲଟି ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଏକ ଯୁଗ୍ମ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଗୁରୁତ୍ବ ଦିଆଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ସହ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି। ଟେଣ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ ଆରଆରଟି ଦଳ ପ୍ରସ୍ତୁତ ରହିବେ। ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହ ସାପ୍ତାହିକ ସାଇନ-ଏ-ଡାଏ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପାଖାପାଖି ୩ ଶହରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଏଥିରୁ ଜିଲ୍ଲାର ୫୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ୱରରୁ ବାହାରିଥିବା ଜଣାପଡିଛି।

Latest Posts

Don't Miss