ଭୁବନେଶ୍ବର : ରାଜ୍ୟରେ ଏବେ ମିଶ୍ରିତ ପାଣିପାଗ ଦୃଶ୍ୟମାନ ହେଉଛି । ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ । ଏହାସହ ଦିନବେଳା ଖରା ମଧ୍ଯ ଟାଣ ହେଉଥିବାରୁ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରୁଛି । ବର୍ତ୍ତମାନ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମ ରହିଛି ।ଏଥିପାଇଁ ଥଣ୍ଡା ଜାରି ରହିଛି ।
ଆଜି ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ।

