ତିନିଦିନ ଧରି ଶ୍ରୀମନ୍ଦିରରେ ଦେବ ଦୀପାବଳି, ଚମକିଲା ସିଂହଦ୍ବାର

ପୁରୀ: ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ । ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ । ତିନିଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ ।

ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଛି । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।