୧୧ ମାସ ହେବ କେବଳ ରଙ୍ଗ ଓ ନାଁ ବଦଳାରେ ମାତିଛନ୍ତି ରାଜ୍ୟ ସରକାର, ବିକାଶରେ ଲାଗିଛି ବ୍ରେକ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଯାହା କହେ ତାହା କରେ ନାହିଁ । କେବଳ ନିର୍ବାଚନ ଜିତିବା ପାଇଁ ଦେଇଥିଲା ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି । କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ସରକାର ରଙ୍ଗ ଓ ନାଁ ପରିବର୍ତ୍ତିନରେ ସୀମିତ ରହିଛନ୍ତି । ଚାଷୀଙ୍କ ଠାରୁ ଯୁବକ, ମହିଳା ଯାଏଁ ସମସ୍ତଙ୍କୁ ପ୍ରତାରଣା କରିଛନ୍ତି । କେବଳ ମିଥ୍ୟା ପ୍ରଚାର କରି ଓଡିଶାବାସୀଙ୍କୁ ଦଳ ଭଣ୍ଡେଇଛି ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଓଡିଶା ବିକାଶରେ ଲାଗିଛି ବ୍ରେକ । ୧୧ ମାସ ହେବ ରାଜ୍ୟର ବିକାଶ ପୂରା ଧୀମେଇ ଯାଇଛି । ରଙ୍ଗ ଓ ନାଁ ପରିବର୍ତ୍ତନ ହେଉଛି । ହେଲେ ରାଜ୍ୟର ବିକାଶ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ୨୦୨୪ ନିର୍ବାଚନରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ତାହା ବି ପୂରଣ କରିନାହିଁ । କେବଳ ମିଥ୍ୟା ପ୍ରଚାର, ପ୍ରସାର ଓ ସଭାସମିତିରେ ମାତିଛନ୍ତି ରାଜ୍ୟ ସରକାର । ଧାନରେ କଟନୀ ଛଟନୀ କରି ଚାଷୀଙ୍କୁ ହଇରାଣ କଲେ । ଏବେ ଚାଷୀଙ୍କୁ ସେହି ଟଙ୍କାରୁ କିଛି ଦେଇ ବାହାଦୁରୀ ନେବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେତେ ଜମିକୁ ଜଳସେଚନ କଲ, କେତେ ଚାଷୀଙ୍କ ଆୟ ଡବଲ କଲ, କେତେଟି ଶୀତଳ ଭଣ୍ଡାର କରିଛ ? କେତେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେଲ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭଣ୍ଡାଇ ଦିନକୁ ମାତ୍ର ୨୭ ଟଙ୍କା ଦେଇ ପ୍ରତାରଣା କରିଛନ୍ତି । ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ସମସ୍ୟା ଦୂର ହେବା ଦିବାସ୍ବପ୍ନ ପାଲଟିଛି ବୋଲି କଂଗ୍ରେସ କହିଛି । ଅନ୍ୟପଟେ ବିଜେପି ଏହାର ଜବାବରେ କହିଛି ବିରୋଧୀ ଯାହା କହିଲେ ବି ଚାଷୀ ଖୁସି ଅଛନ୍ତି ।

ସେପଟେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଛନ୍ତି, ୧୧ ମାସ ହେବ ରାଜ୍ୟରେ କ’ଣ ବିକାଶ ହୋଇଛି ତାହା କେହି ବି ଅନୁଭବ କରୁନାହାନ୍ତି । ବିକାଶ କାମ କେଉଁଠି ହେଉଛି ତାହା ଖୋଜିଲେ ବି ମିଳୁନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ କିଛି ବିକାଶ ଆରମ୍ଭ ହୋଇଥିଲା ତାହା ବି ସଂପୂର୍ଣ୍ଣ ହୋଇପାରୁନାହିଁ । ରାସ୍ତାଘାଟ ଠାରୁ ଭିତ୍ତିଭୂମି, ସ୍କୁଲ ଓ କଲେଜକୁ ନୂଆ ରୂପ ଦେଇଥିଲେ ନବୀନ । ହେଲେ ବିଜେପି ସରକାର ସମୟରେ ଗ୍ରାଉଣ୍ଡ ଜିରୋରେ କିଛି କାମ ହେଉନାହିଁ ।

୨୦୩୬ରେ ଓଡ଼ିଶାସବାସୀଙ୍କୁ ଏକ ବିକଶିତ ଓଡିଶା ଟେକି ଦେବାକୁ ସ୍ବପ୍ନ ଦେଖାଉଥିବା ବେଳେ ୧୧ ମାସର ଡବଲ ଇଞ୍ଜିନ ସରକାର ଗତି କୁଆଡେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।