spot_img

Latest Posts

ଆଜିଠୁ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି: ଆରମ୍ଭ ହୋଇଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣାର ପଶ୍ଚିମ ପଟରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ହୋଇଛି। ଏହା ପରେ ମନ୍ଦିର ଅଭିମୁଖେ ବାହାରିଛି ମାଙ୍କ ବିଜୟ ପ୍ରତିମା ଛତର। ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରୁଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି।
ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ। ଏହି ପ୍ରସିଦ୍ଧ ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ମାଣିକେଶ୍ଵରୀଙ୍କ ପାଖରେ ପଶୁ ପକ୍ଷୀ ବଳି ଦେବାର ମଧ୍ୟ ପରମ୍ପରା ରହିଛି। ଆଶ୍ବୀନ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ମୂଳାଷ୍ଟମୀରେ ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହର ମଧ୍ୟରେ ଯାନବାହନ ପ୍ରବେଶ ଉପରେ ମଧ୍ୟ କଟକଣା କରାଯାଇଥିବା ବେଳେ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

Latest Posts

Don't Miss