ଶ୍ରଦ୍ଧାଳୁ ଦେଖିବେ ୪୫ ଫୁଟ ଉଚ୍ଚର ଗଣେଶ, ଭୋଗ ଲାଗିବ ୪୫ କେଜିର ଲଡ଼ୁ

ନନ୍ଦିଘୋଷ ବ୍ୟୁରୋ : ଆଉ ଦୁଇଦିନ ପରେ ଧରାବତରଣ କରିବେ ଅଗ୍ର ପୂଜ୍ୟ ଗଜାନନ । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ ପ୍ରାୟ ସବୁ ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ପାଇଁ ଏଥର ଭୁବନେଶ୍ବର ଓଲଡ଼ ଟାଉନ ତିନିମୁଣ୍ଡିଆରେ ଶ୍ରଦ୍ଧାଳୁ ଦେଖିବେ ୪୫ ଫୁଟ ଉଚ୍ଚର ଗଣେଶ । ଏହା ସହ ଗଣେଶଙ୍କ ପାଖରେ ଭୋଗ ଲାଗିବ ୪୫ କେଜିର ଲଡ଼ୁ । ଭୁବନେଶ୍ୱର ତିନିମୁଣ୍ଡିଆ ଛକ ବ୍ରାହ୍ମଣ ନିଯୋଗ ସମିତି ମଣ୍ଡପ ଠାରେ ତରଙ୍ଗ କ୍ଳବ ପକ୍ଷରୁ ପ୍ରତିବର୍ଷ ଭଳି ଏହି ପୂଜା ପ୍ରସ୍ତୁତ ହୋଇଛି । ଆସନ୍ତା ୨୭ ତାରିଖ ଗଣେଶ ପୂଜା ଦିନ ଠାରୁ ଏହି ପୂଜା ଆସନ୍ତା ସେପ୍ଟେମ୍ବର ୭ ତାରିଖ ଯାଏ ଚାଲିବ । ପ୍ରତ୍ୟେକ ଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ରହିଥିବା ବେଳେ ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଓ କ୍ଳବ ସ୍ବେଚ୍ଛାସେବୀ ନିୟୋଜିତ ରହିବେ । ୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବଡ଼ ମୂର୍ତ୍ତି ପାଇଁ ପାଣି ସ୍ପ୍ରେ ଜରିଆରେ ବିସର୍ଜନ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି କ୍ଲବ ସମ୍ପାଦକ ଦାଶରଥି ଗରାବଡୁ ।