କଲେଜରେ ମୌଳିକ ସୁବିଧା ନଥିବାରୁ ମରଣମୁହଁରେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଘରୋଇ କଲେଜରେ ମୌଳିକ ସୁବିଧା ନଥିବାରୁ ମରଣମୁହଁରେ ପଡ଼ୁଛନ୍ତି ଛାତ୍ରଛାତ୍ରୀ । ଯାଇଛି ୨ ଜଣଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳରୁ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ । ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ହେବାରୁ ପ୍ରଶାସନର ନିଦ ଭାଙ୍ଗିଛି । ଏ ନେଇ ଏତଲା ଆଧାରରେ ତଦନ୍ତ କରୁଛି ପୋଲିସ ।
ବୈଷୟିକ କଲେଜ ଖୋଲି ଛାତ୍ରଛାତ୍ରୀଙ୍କଠୁ ମୋଟା ଅଙ୍କ ଟାଣୁଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଉନାହନ୍ତି ମୌଳିକ ସୁବିଧା । ହଷ୍ଟେଲ ଅଛି ହେଲେ ସେଥିରେ ପାଣି ଆସୁନି । କଲେଜରେ ପାଣି ଅଭାବରୁ ପିଲାମାନେ ପୋଖରୀକୁ ଗାଧୋଇବାକୁ ଯାଇ ପ୍ରାଣ ହରାଇଛନ୍ତି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳର ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ । ଗତ ମାର୍ଚ୍ଚ ୨ ତାରିଖରେ ଏକ ଘରୋଇ ଆଇଟିଆଇ କଲେଜର ଜଣେ ଛାତ୍ର ହଷ୍ଟେଲରେ ପାଣି ନଥିବାରୁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ । ଘଟଣାସ୍ଥଳରେ ତାଙ୍କର ପ୍ରାଣହାନୀ ଘଟିଥିଲା । ତା’ପୂର୍ବରୁ ଫେବୃଆରୀ ୬ ତାରିଖରେ ଆଉ ଏକ ଘରୋଇ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପରିବାର ଲୋକେ ଆତ୍ମହତ୍ୟା ଅଭିଯୋଗ ଆଣିଥିଲେ ।
ଢେଙ୍କାନାଳର ଗଳିକନ୍ଦିରେ ଗଢ଼ି ଉଠୁଛି ଛୋଟବଡ ଘରୋଇ କଲେଜ । ଦଲାଲ ମାଧ୍ୟମରେ ଅଭିଭାବକଙ୍କୁ ପ୍ରଲୋଭିତ କରି ବିଭିନ୍ନ ଜିଲ୍ଲାରୁ ପିଲାଙ୍କୁ ଆଣି ଭର୍ତ୍ତି କରାଯାଉଛି । କିନ୍ତୁ ଛାତ୍ରାବାସଗୁଡ଼ିକରେ କଲେଜ କର୍ତ୍ତୃପକ୍ଷ ମୌଳିକ ସୁବିଧା ଉପଲବ୍ଧ କରୁନଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଅଗ୍ନିନିରାପତ୍ତା ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ ହୋଇଛି ।