ସ୍ୱପ୍ନ ପୂରଣ କଲେ 5T ସଚିବ, ଏଣିକି ପାଠ ପଢିବେ କାମିନା

1 min read

ଢେଙ୍କାନାଳ: ଛାତ୍ରୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ସବୁ ସମସ୍ୟା ଦୂର କରି ପାଠ ପଢିବାକୁ ଯୋଗାଇଛନ୍ତି ସହଯୋଗ  । ଢେ଼ଙ୍କାନାଳ କାମାକ୍ଷାନଗର ବ୍ଲକ୍ ଭଇରିପୁରର କାମିନା ନାଏକଙ୍କ ସ୍ବପ୍ନ ସାକାର ହୋଇଛି। ତାଙ୍କ ପାଠ ପଢାରେ ପାଚେରୀ ହୋଇ ଛିଡା ହୋଇଥିଲା ଆର୍ଥିକ ସମସ୍ୟା।

୨୦୧୮ରେ ଦଶମ ପାସ୍ କରିଥିଲେ କାମିନା । କିନ୍ତୁ ଅର୍ଥାଭାବରୁ ଆଉ ଆଗକୁ ପଢ଼ିପାରି ନଥିଲେ ।  ଏନେଇ ସାମାଜିକ କର୍ମୀ ସଂଜିତ ଦାସ୍ ଟୁଇଟ୍ କରି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଟୁଇଟ୍ ଦେଖିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଫାଇଭ-ଟି ସଚିବ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କାମାକ୍ଷାନଗର ଉପଜିଲ୍ଲାପାଳ କାମିନାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଛନ୍ତି।  ଛାତ୍ରୀଙ୍କ କଲେଜ୍ ଆଡମିସନ ଓ ପରବର୍ତ୍ତୀ ପାଠପଢ଼ା ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ। ଏହା ଶୁଣିବା ପରେ ଛାତ୍ରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ଏହା ସହିତ ପ୍ରଶାସନ ପକ୍ଷରୁ ତାଙ୍କ ପାଠପଢା ପାଇଁ ୧୫ହଜାର ଟଙ୍କା ଜିଲ୍ଲାପାଳ ସରୋଜ ସେଠୀ ପ୍ରଦାନ କରିଛନ୍ତି । ଏହି ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କାମିନା ।