ଢେଙ୍କାନଳରେ କିଏ ହେବ ବିଜୟୀ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ରାଜନୀତିରେ ଢେଙ୍କାନାଳ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଢେଙ୍କାନାଳ ଲୋକସଭା କ୍ଷେତ୍ର ସହିତ ବିଜେଡିର ଗଡ ଢେଙ୍କାନାଳ ସଦର ବିଧାନସଭା କ୍ଷେତ୍ର। ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ୪ଥର ହାରିବା ପରେ ବି ପଦ୍ମ ଫୁଟାଇବାକୁ ଜୋରଦାର ପ୍ରୟାସ କରୁଛି ବିଜେପି। ତେବେ ସବୁଠୁ ପଛରେ ପଡିଯାଇଛି କଂଗ୍ରେସ। ଆଉ ଏହି ସବୁ ଭିତରେ କାହା ଉପରେ ଭରସା କରିବେ ଭୋଟର। ବିକାଶକୁ ନା ପ୍ରାର୍ଥୀକୁ ଦେବେ ପ୍ରାଧାନ୍ୟ । କାହାର ହେବ ଢେଙ୍କାନାଳ ତାକୁ ନେଇ ଚାଲିଛି ଅଙ୍କକଷା।

ଢେଙ୍କାନାଳ,ଗଂଦିଆ ଓ ଛଦେସକୁ ନେଇ ଗଠିତ ଢେଙ୍କାନାଳ ବିଧାନସଭା  କ୍ଷେତ୍ର । ବିଜେଡିର ଗଡ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀରେ ଏଥର କାହା ସପକ୍ଷରେ ଯିବ ଜନମତ ? କିଏ ମାରିବ ବାଜି ? ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନା ଜଳ୍ପନା । ଏଠାରେ ଅଛନ୍ତି ୨ ଲକ୍ଷ ୬୭ ହଜାର ୩୧୭ ଜଣ ଭୋଟର । ସେଥିମଧ୍ୟରୁ ପୁରୁଷ ଭୋଟର ୧ଲକ୍ଷ ୩୭ ହଜାର ୨୧୬ ଜଣ ,ମହିଳା ଭୋଟର ୧ ଲକ୍ଷ ୩୦ହଜାର ୭୦ଜଣ । ଅନ୍ୟାନ ଭୋଟର ମାତ୍ର ୩୧ ଜଣ । ଢେଙ୍କାନାଳ ସଦର ବିଧାନସଭାରେ ଏଥର ତ୍ରିମୁଖୀ ଲଢେଇ ହେବା ସମ୍ଭାବନା ଅଧିକ । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ସୁଧୀର କୁମାର ସାମଲ । ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଏହି ଦୁହିଁଙ୍କୁ ଟକ୍କର ଦେବାକୁ କଂଗ୍ରେସ ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ସୁଶ୍ମିତା ସିଂ ଦେଓ  । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ।

୨୦୦୦ ମସିହା ନିର୍ବାଚନରେ ବିଜେପି ବିଜେଡ଼ି ମେଣ୍ଟ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୯ ହଜାର ୭୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ । ୨୦୦୪ ନିର୍ବାଚନରେ କଂଗ୍ରେସ ଦଳରୁ ସୁଧିର କୁମାର ସାମଲ ୫୩ ହଜାର ୪୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ ନିର୍ବାଚନରେ ଏନସିପି ଓ ବିଜେଡ଼ି ମେଣ୍ଟ ହୋଇଥିଲା ଏନସିପି ଦଳରୁ ନବିନ ନନ୍ଦ ୫୧ ହଜାର ୧୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ  । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସରୋଜ କୁମାର ସାମଲ ୬୮ ହଜାର ୯୮୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।

ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୬୫ ହଜାର ୫୦୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର ୩୦ ହଜାର ୬୪୩ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ  ସୁଧିର କୁମାର ସାମଲ ୮୯ ହଜାର ୫୩୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୬୮ହଜାର ୮୯୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନବିନ ନନ୍ଦ ୨୪ହଜାର ୭୮୮ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଠାରେ ଶିକ୍ଷା ,ସ୍ଵାସ୍ଥ୍ଯ, ରାସ୍ତାଘାଟ,ପାନୀୟ ଜଳ ସାଙ୍ଗକୁ ବସଷ୍ଟାଣ୍ଡ ,ପାର୍କ ଓ କପିଳାସ ଆଦିର ହୋଇଛି ରୂପାନ୍ତର ।