ଧୋନୀ କାହିଁକି ନିଆରା ଅଧିନାୟକ? ମୋଇନ୍ ଅଲ୍ଲୀ କହିଲେ ଏହା ପଛର କାରଣ

ନନ୍ଦିଘୋଷ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଦୁଇ ଦୁଇଥର ଟିମ ଇଣ୍ଡିଆକୁ ବିଶ୍ବକପ ଜିତାଇଥିବା ଅଧିନାୟକ ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ଢ଼େର ରହିଛନ୍ତି । ସେ ସମସ୍ତଙ୍କର ପ୍ରିୟ ଖେଳାଳି ହୋଇଥିବାବେଳେ ଆଇପିଏଲର ୧୭ତମ ସଂସ୍କରଣରେ ପୁଣି ନଜର ଆସିଲେ ମାହି । ଚେନ୍ନାଇ ସୁପର କିଙ୍ଗସଙ୍କୁ ୫ଥର ଚାମ୍ପିୟନ କରିଥିବା ଧୋନୀ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ତେବେ ଧୋନୀଙ୍କ ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକୟ ଖେଳାଳି ମୋଇନ ଅଲ୍ଲୀ । ମୋଇନ କହିଛନ୍ତି କି, ଧୋନୀ କାହିଁକି ଅନ୍ୟ ଅଧିନାୟକଙ୍କଠାରୁ ଭିନ୍ନ ।

ଦଳରେ ଅଧିନାୟକଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରିଥାଏ । ଜଣେ ଖେଳାଳିଙ୍କ ଭବିଷ୍ୟତ ମଧ୍ୟ ଅଧିନାୟକଙ୍କ ଉପରେ ନିର୍ଭର କରିଥାଏ । ପଡ଼ିଆରେ ଖେଳ ଚାଲିଥିବା ସମୟରେ ଅଧିନାୟକଙ୍କ ନିଷ୍ପତ୍ତି ଖେଳର ମୋଡ଼କୁ ମଧ୍ୟ ବଦଳାଇ ଦେଇଥାଏ । ତେବେ ଧୋନୀ ଏଭଳି ଜଣେ ଅଧିନାୟକ ଯିଏକି କ୍ୟାପଟେନ କୁଲଭାବେ ବେଶ ପରିଚିତ । ସେ ସାଥୀ ଖେଳାଳିଙ୍କ ଉପରେ ଏତେ ସହଜରେ ରାଗନ୍ତି ନାହିଁ । ଯାହାକି ଅନ୍ୟ ଖେଳାଳିଙ୍କ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ଏମିତିରେ ମଧ୍ୟ ଧୋନୀ ବିଫଳ ହେଉଥିବା ଖେଳାଳିଙ୍କୁ ଡ୍ରପ ନକରି ଦଳରେ ସ୍ଥାନ ଦେଇଥାନ୍ତି । ଯାହାଦ୍ବାରା ଜଣେ ଖେଳାଳିଙ୍କ ମେନାବଳ ଅଧିକ ବଢ଼ିଥାଏ ।

ତିନୋଟି ସିଜିନ ହେବ ଚେନ୍ନାଇ ସୁପରକିଙ୍ଗସ ସହ ଖେଳୁଛନ୍ତି ମୋଇନ ଅଲ୍ଲୀ । ଧୋନୀଙ୍କ ଅଧିନାୟକତ୍ବରେ ଖେଳିବାକୁ ତାଙ୍କୁ ବହୁତ ଭଲଲାଗେ ବୋଲି ସେ କହିଛନ୍ତି । ନିଷ୍ପତ୍ତି ନେବାରେ ମାହି ମାହିର ବୋଲି ସେ କହିଛନ୍ତି । ଗତ ସିଜିନରେ ମୋଇନ ଅଲ୍ଲୀ ବ୍ୟାଟିଂ ଏବଂ ବୋଲିଂରେ କୌଣସି ଚମତ୍କାର ପ୍ରଦର୍ଶନ କରିନଥିଲେ । ମାତ୍ର ସିଏସକେ ତାଙ୍କୁ ରିଲିଜ କରିନାହିଁ । ଚଳିତ ସିଜିନରେ ପୁଣିଥରେ ପୁଣି ସିଏସକେ ପକ୍ଷରୁ ଖେଳିବାକୁ ଥିବାବେଳେ ଦମଦାର କମବ୍ୟାକ କରିବେ ବୋଲି ସିଏସକେ ପ୍ରଶଂସକମାନେ ଆଶା ରଖିଛନ୍ତି ।