ନନ୍ଦିଘୋଷ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିରରେ ହେଲା ଧ୍ଵଜାରୋହଣ। ଧର୍ମ ଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗେରୁଆ ରଙ୍ଗର ଏହି ଧ୍ଵଜାର ଓଜନ ହେଉଛି ୧୧ କେଜି। ୧୬୧ ଫୁଟ ବିଶିଷ୍ଟ ରାମ ମନ୍ଦିରର ଉଚ୍ଚରେ ଏହି ଧ୍ଵଜା ସ୍ଥାପନ କରାଯାଇଛି। ଏହି ଧ୍ଵଜାରୋହଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ପୂରା ଅଯୋଧ୍ୟା ନଗରୀ। ସେଠାରେ କଡ଼ା ସୁର୍କ୍ଷା ବ୍ୟବସ୍ଥା କରାଯାଇଛି।
ଧ୍ଵଜାର ଲମ୍ବ ହେଉଛି ୨୨ ଫୁଟ ଏବଂ ଓସାର ହେଉଛି ୧୧ ଫୁଟ। ୪୨ ଫୁଟ ବିଶିଷ୍ଟ ପୋଲ ଉପରେ ଏହାକୁ ସ୍ଥାପନ କରାଯାଇଛି। ରାମ ମନ୍ଦିର ସହିତ ପୂରା ଅଯୋଧ୍ୟାକୁ ୧୦୦ ଟନ୍ ଫୁଲରେ ସଜ୍ଜିତ କରାଯାଇଛି। ଧ୍ଵଜାରୋହଣ ପରେ ଏକ ଆରତି ମଧ୍ୟ କରାଯିବ ରାମ ମନ୍ଦିରରେ। ପତାକାରେ ସୂର୍ଯ୍ୟ ଚିହ୍ନ ଥିବା ସହିତ ସେଥିରେ ଲେଖାଯାଇଛି ଓମ୍। ଏହା ସହିତ କୋବିଦାର ଗଛର ପ୍ରତୀକ ରହିଛି। ଏହା ସୂଚିତ କରିଥାଏ ପବିତ୍ରତା ଓ ସମୃଦ୍ଧି ଯାହାକି ହେଉଛି ରାମ ରାଜ୍ଯର ସଂକେତ। କୁହାଯାଏ କୋବିଦାର ଗଛ ହେଉଛି ମନ୍ଦାର ଓ ପାରିଜାତ ଗଛର ହାଇବ୍ରିଡ ଗଛ। ବାଲ୍ମିକୀ ରାମାୟଣ ଅନୁସାରେ ଋଷି କଶ୍ଯପ ଏହି ଗଛ ପ୍ରସ୍ତୁତ କରିଥିଲେ। ଗତ ସାଧାରଣ ନିର୍ବାଚନ ଆଗରୁ ୨୦୨୪ ଜାନୁଆରୀ ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସହିତ ରାମଲଲ୍ଲାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା। ଆଜିଠୁ ସ୍ଵଂୟ ସଂପୂର୍ଣ୍ଣ ହେଲା ମନ୍ଦିର। ରାମ ସୀତାଙ୍କ ବିବାହ ପଞ୍ଚମୀରେ ଧ୍ଵଜାରୋହଣ କରାଯାଇଛି। ଉତ୍ତମ ମାନର ସିଲ୍କ ଓ ପାରାଚ୍ଯୁଟ ଗ୍ରେଡର କପଡ଼ାରେ ପ୍ରସ୍ତୁତ ହୋଇଛି ଧ୍ଵଜା। ଏହା ଏପରି କପଡ଼ାରେ ତିଆରି ଯେ, ଏହା ବର୍ଷା ଖରା ଓ ଜୋର ପବନରେ ବି ଅଧିକ ଦିନ ରହିବ।

