ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ, କମୁଛି କେସ୍

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ଡାଇରିଆ ନିୟନ୍ତ୍ରଣକୁ ଆସୁଛି । ଦୈନିକ ନୂଆ କେସ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଏଯାବତ ରାଜ୍ୟରେ ମୋଟ ୪୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଗୃହରେ ଏହି ବିବୃତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଗତ ମାସ ୧୩ ତାରିଖରେ ରାୟଗଡ଼ା କାଶୀପୁର ବ୍ଲକରେ ପ୍ରଥମେ କେସ ନଜରକୁ ଆସିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କାଶୀପୁରର ୫ଟି ପଞ୍ଚାୟତର ୧୧ଟି ଗାଁରୁ ୧୫୯ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଟିକିରି ଡାକ୍ତରଖାନାରେ ୧୦, କାଶୀପୁରରେ ୧୩, ଉତ୍କଳ ଆଲୁମିନା ଚିକିତ୍ସା କେନ୍ଦ୍ରରେ ୧୪, ଉତ୍କଳ ଆଲୁମିନା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାରମ୍ବାର ଫିଲ୍ଟ ଭିଜିଟ କରି ସମୀକ୍ଷା କରୁଛନ୍ତି । ୬ ଜଣ ଡାକ୍ତର ଓ ଜିଲ୍ଲାର ମହାମାରୀ ନିୟନ୍ତ୍ରଣ ଟିମ ସେଟାରେ ରହି କାମ କରୁଛନ୍ତି । ୮ଟି ମୋବାଇଲ ଟିମ ନିୟୋଜିତ ଅଛନ୍ତି । ୪ ଗୋଟି ମୋବାଇଲ ଟିମ ସଚେନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୋଟ ୨୦୨ ଜଳ ନମୁନା, ୧୭୪ଟି ମଳ ନମୁନା ପରୀକ୍ଷଣ କରାଯାଇଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପରିମାଣର ଔଷଧ ଓ ଅନ୍ୟାନ୍ୟ ସଂରଜାମ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ବିବୃତି ରଖଛନ୍ତି ।

ସେହିପରି କୋରାପୁଟ ଦଶମନ୍ତପୁର ବ୍ଲକରେ ୫ଟି ଗାଁରୁ ୮୩ ଜଣ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜଣକର ମୃତ୍ୟୁ ହୋଇଥିବାବେଳେ ୭୬ ଜଣ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରେ ନନ୍ଦାହାଣ୍ଡି ବ୍ଲକର ୪୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ସୋନପୁରରେ ୬୪ ଆକ୍ରାନ୍ତ, ଜଣେ ମୃତ, ନୂଆପଡ଼ାରେ ୪୯ ଆକ୍ରାନ୍ତରୁ ଜଣେ ମୃତ, ଗଜପତିରେ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ । ସେହିପରି ଝାରସୁଗୁଡାରେ ୱାର୍ଡ ନମ୍ବର ୧୩ରୁ ୧୨ ଜଣ ଆକ୍ରାନ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଗୃହରେ ବିବୃତି ରଖିଛନ୍ତି ।