ପାଣିରୁ ବ୍ୟାପିଛି ଡାଇରିଆ; ସ୍ବାସ୍ଥ୍ୟ ବିଭାଗକୁ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍
1 min read
ନନ୍ଦିଘୋଷ ବ୍ୟୁରୋ : ପାଣିରୁ ବ୍ୟାପିଛି ଡାଇରିଆ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ସ୍ପଷ୍ଟ କରିଛି କେନ୍ଦ୍ରୀୟ ଟିମ୍। ଡାଇରିଆରେ ସରକାରୀ ଭାବେ ୧୦ ଜଣଙ୍କର ହୋଇଛି ମୃତ୍ୟୁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ସଚିବ। ସମସ୍ତ ଜଳ ଉତ୍ସର ବିଶୋଧନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ୍। କାର୍ଯରେ ଅବହେଳା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣାର ଡାକ୍ତର ହେମନ୍ତ କୁମାର ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
ପ୍ରତି ୩ ଦିନରେ ବିଶୋଧନକୁ ତ୍ବରାନ୍ବିତ କରାଯିବ। ରୋଗୀଙ୍କ କେଶ ହିଷ୍ଟରିକୁ ଯାଞ୍ଚ କରାଯିବ। ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗ ସହ ବୈଠକ ହୋଇଛି। ଡାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ପଞ୍ଚାୟତିରାଜ ବିଭାଗର RWSSର କର୍ମଚାରୀ ମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡାଇରିଆ ସଚେତନତା କ୍ୟାମ୍ପେନରେ ଯୋଗଦେବେ ମିଶନ ଶକ୍ତି ମହିଳା।
ଆସନ୍ତାକାଲି ଠାରୁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକକୁ ଗସ୍ତ କରିବେ କେନ୍ଦ୍ରୀୟ ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍। ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର ଟିମ | ଏହି ଟିମର ଆବାହକ ରହିବେ CDMO। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତର୍ଜମା କରାଯିବ ଏବଂ ତାପର ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସେହିପରି ଏସସିବିକୁ ବାହାରୁ ରୋଗୀ ଆସୁଥିବାରୁ ଫୋକସରେ ରହିଛି କଟକ ଜିଲ୍ଲା। ୧୦୦ଟି ସାମ୍ପୁଲରୁ ୧୬ଟିରେ କଲେରା ପଜିଟିଭ ଚିହ୍ନଟ ହୋଇଛି। ଯାଜପୁରରେ ସୀମିତ ରହିଛି କଲେରା। ସେହିପରି ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି। ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ ହେବ। ଏହାସହ ପିଲାଙ୍କ ହାତ ଧୂଆ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।