ଯାଜପୁରରେ ଝାଡାବାନ୍ତି ଆତଙ୍କ, ଦୁଇ ଦିନରେ ୫ଶହରୁ ଅଧିକ ଆକ୍ରାନ୍ତ

ଯାଜପୁର: ଯାଜପୁରରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ଗଲାଣି ଦୁଇ ଜଣଙ୍କ ଜୀବନ । ୫ ବ୍ଲକର ୫୦୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୨ ଦିନ ଧରି ଝାଡାବାନ୍ତି ଆତଙ୍କ ଲାଗିରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦୦ରୁ ଉର୍ଦ୍ଧ୍ବ ଶିଶୁ, ଯୁବକ, ମହିଳା ଓ ବୟସ୍କ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତର କାରଣ ଏବେ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଫୁଡ୍ ପଏଜନ କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ୍ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡ଼ିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଯାଜପୁର ରୋଡ ମେଡିକାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ନିରୀକ୍ଷଣ କରି ନିରାକରଣ ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର ନିରିକ୍ଷଣ କରିବାକୁ ପର୍ଯ୍ୟାପ୍ତ ମେଡିକାଲ କଲେଜ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି। ଯଦି ଅଧିକ ଡାକ୍ତର କିମ୍ବା ନର୍ସିଂ ଅଫିସର ଦରକାର ତାହାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ଓ ସିଡିଏମଓ । ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
୨ ଦିନ ଭିତରେ ଯାଜପୁର ରୋଡ ମେଡିକାଲରେ ୧୮୬ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ମଧ୍ୟ ଶତାଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଠାରେ ବର୍ତ୍ତମାନ ୧୧ଜଣ ଚିକିତ୍ସାଧୀନ ଥିବାବେଳେ ୧୪ଜଣ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।