୧୧ ବର୍ଷର ଝିଅ ଦିବ୍ୟା, କ୍ୟାନ୍‌ସର ରୋଗୀଙ୍କ ପାଇଁ କଲେ କେଶ ଦାନ

ଭୁବନେଶ୍ୱର: ଚେହରାର ସୁନ୍ଦରତା ବଢାଏ କେଶ । ସେଥିପାଇଁ ତ କେଶର ଯତ୍ନ ନେବା ପାଇଁ ଅନେକ ଲୋକ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ସ୍ପା ସାଙ୍ଗକୁ ଥେରାପି ବି ନିଅନ୍ତି । ଏଥିପାଇଁ ଅନେକ ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ରାଜଧାନୀର କିଛି ଯୁବତୀ କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରି ସଭିଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଦିବ୍ୟା ଆରାଧ୍ୟା ଦାସ । ବୟସ ମାତ୍ର ୧୧ । ଏହି କୁନି ଝିଅଟି ମନରେ ସମାଜ ପାଇଁ ଅନେକ ଚିନ୍ତା । ଲକଡାଉନ ସମୟରେ ଅନଲାଇନରେ କ୍ୟାନ୍ସର ରୋଗୀଙ୍କ କାହାଣୀ ଦେଖି ବିଚଳିତ ହୋଇପଡିଥିଲେ ଦିବ୍ୟା । କ୍ୟାନ୍ସର ରୋଗୀ ବାରମ୍ବାର କେମୋ ନେବାରୁ ସେମାନଙ୍କର ଚୁଟି ଝଡ଼ିଯାଇଥାଏ । ବାସ୍ ସେହି ସମୟରୁ ନିଜର କେଶ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ ଦିବ୍ୟା । ଝିଅର ଏଭଳି ନିଷ୍ପତ୍ତି ମା’ ପ୍ରଜ୍ଞାଙ୍କୁ ବି ଆନ୍ଦୋଳିତ କରିଥିଲା । ତେବେ ଝିଅର ଏହି ମହତ୍ ଉଦ୍ଦେଶ୍ୟ ଦେଖି ସେ ଏଥିପାଇଁ ରାଜି ହୋଇଥିଲେ ।

ଅଭିନୟ ଜଗତରେ ଦର୍ଶକଙ୍କୁ ହସାଉଥିବା ଓ କନ୍ଦାଉଥିବା ଅଭିନେତ୍ରୀ ରାଜେଶ୍ୱରୀ ଜୀବନ ଓ ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । କ୍ୟାନ୍ସର ଯୋଗୁଁ ରାଜେଶ୍ୱରୀଙ୍କ ଭଳି ଅନେକ ଯୁବତୀ ନିଜର ସୁନ୍ଦର କେଶ ହରାଇବସନ୍ତି । ତେବେ କେଶ ଦାନର ଏହି ପ୍ରୟାସ ଅନେକ କ୍ୟାନ୍ସର ରୋଗୀଙ୍କ ପାଇଁ ବରଦାନ ସଦୃଶ ବୋଲି ସେ କହନ୍ତି । ସେହିପରି ଅମ୍ରିତା ପତି ବି ନିଜ କେଶ ଦାନ କରିବା ସହ ଏହା କ୍ୟାନସର ରୋଗୀଙ୍କ ମୁହଁରେ ହସ ଫୁଟାଇବ ବୋଲି ଆଶା ରଖିଛନ୍ତି । କ୍ୟାନ୍ସରରେ ପୀଡିତ ଥିବା ଅନେକ ଯୁବତୀ ଓ ମହିଳା ମହଙ୍ଗା ଓ୍ୱିଗ୍‌ କିଣିବା ପାଇଁ ଅସମର୍ଥ ହୋଇଥିବା ବେଳେ ମୁମ୍ବାଇ ସ୍ଥିତ ମଦତ୍‌ ଅନୁଷ୍ଠାନ ସେମାନଙ୍କ ପାଇଁ ମାଗଣାରେ ଓ୍ୱିଗ୍‌‌ ଯୋଗାଇଥାଏ । ଏହି କେଶ ସଂଗ୍ରହ ପରେ ମୁମ୍ବାଇ ପଠାଯିବ ।

Leave a Reply