ଦିଗପହଣ୍ଡିରେ କିଏ ମାରିବ ବାଜି ?

ନନ୍ଦିଘୋଷ ବ୍ୟୁରୋ: ସଭା, ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । କାହାର ହେବ ଦିଗପହଣ୍ଡି ? କିଏ ମାରିବ ବାଜି ? ଏନେଇ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା । ବିଜେଡିର ଅଭେଦ୍ଯ ଗଡ ରହିଥିବା ଏହି ଆସନରେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୧୩୪ ନମ୍ବର ବିଧାନସଭା ଆସନ ହେଉଛି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ । ୨୦୦୯ରେ ପୁନର୍ଗଠନ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । ଦିଗପହଣ୍ଡି ବ୍ଲକ, ଦିଗପହଣ୍ଡି ପୌରପରିଷଦ ଏବଂ କୁକୁଡାଖଣ୍ଡି ବ୍ଲକକୁ ନେଇ ଗଠିତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ । ନିର୍ବାଚନ ମଣ୍ଡଳୀ ଗଠନ ଦିନରୁ ଏହି ଆସନଟି ବିଜେଡି ହାତରେ ରହିଛି । ଏଠାରେ ୨ ଲକ୍ଷ ୨୫ ହଜାର ୬୮୨ଜଣ ଭୋଟର ଥିବାବେଳେ ପୁରୁଷ ଭୋଟର ୧ ଲକ୍ଷ ୧୫ ହଜାର ୮୨୪ ଓ ମହିଳା ଭୋଟର ୧ ଲକ୍ଷ ୯ ହଜାର ୮୩୪ ଜଣ ଅଛନ୍ତି । ଅନ୍ଯାନ୍ଯ ଭୋଟର ହେଲେ ମାତ୍ର ୨୪ ଜଣ ।

ମୁଖ୍ଯତଃ ଏଠାରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଏଠାରେ ଭୋଟ ହେବାକୁ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ବିଜେଡିରୁ ବିପ୍ଲବ ପାତ୍ର, ବିଜେପିରୁ ସିଦ୍ଧାନ୍ତ ମହାପାତ୍ର, କଂଗ୍ରେସରୁ ସାକା ସୁଜିତ ପ୍ରାର୍ଥୀ ହୋଇଛନ୍ତି । ସମସ୍ତେ ନିଜ ନିଜର ବିକାଶକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଭୋଟ ଭିକ୍ଷା ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୬୫ ହଜାର ୨୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଭି. ରବି ନାରାୟଣ ରାଜୁ ୩୨ ହଜାର ୪୫୬, ବିଜେପିର ଶ୍ରୀଧର ଦେବ ୪ ହଜାର ୧୧୯, ସ୍ଵାଧୀନ ପ୍ରାର୍ଥୀ ଭାବେ ସାକା ବାଲାଜୀ ୨ ହଜାର ୨୮୮ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୭୮ ହଜାର ୯୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ସାକା ସୁଜିତ କୁମାର ୩୩ ହଜାର ୫୨, ବିଜେପିର ବିଜୟ ସ୍ଵାଇଁ ୭ ହଜାର ୭୭୧ ଭୋଟ ପାଇଥିଲେ ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ପାତ୍ର ୭୫ ହଜାର୧୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ପିଙ୍କି ପ୍ରଧାନ ୩୪ ହଜାର ୫୬୪, କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ୧୭ ହଜାର, ସ୍ଵାଧୀନ ପ୍ରାର୍ଥୀ ଭାବେ ଉତ୍ତମ ପାଣିଗ୍ରାହୀ ୫ ହଜାର ୨୩୪ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଗଡ ଭାବେ ରହିଥିବା ଏହି ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଏଥର ଆସନ କାହା ହାତକୁ ଯିବ ତାହା ଦେଖିବାକୁ ବାକି ରହିଲା ।