ନନ୍ଦିଘୋଷ ବ୍ୟୁରୋ: ଦୀଘା ହୋଇପାରିବ କି ଜଗନ୍ନାଥ ଧାମ ? ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୀଘାର ଜଗନ୍ନାଥ ଧାମ ଓ ଦୀଘା ବେଳାଭୂମି ସମ୍ପର୍କରେ ଦର୍ଶାଯାଇଛି। ଏଥିସହିତ ଜଳ୍ପେଶ ମନ୍ଦିର, କାଲିଘାଟ ଓ ଦକ୍ଷିଣେଶ୍ବର ସ୍କାଏୱାକ ସମ୍ପର୍କରେ ଦର୍ଶାଯାଇଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଓ ରାଜନୈତିକ ସ୍ତରରେ ତୀବ୍ର ପ୍ରତିକ୍ରିୟା। ମମତା ଘୋର ଅନ୍ୟାୟ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ବିଶ୍ୱରେ ଚାରିଟି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ସବୁଠାରୁ ପ୍ରସିଦ୍ଧ। ଦୀଘା ଜଗନ୍ନାଥ ଧାମକୁ ବିରୋଧ କରାଯିବା ସହ ଓଡିଶା ମାଟିରେ ମମତାଙ୍କୁ ପାଦ ରଖିବାକୁ ଦିଆଯିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ଦୀଘାକୁ ଜଗନ୍ନାଥ ଧାମ କରି ବିଶ୍ଵବ୍ୟାପୀ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ପୁରୀରୁ ଯାଇ ସେଠାରେ ସେବା କଲେ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଉଠିଛି ପ୍ରଶ୍ନ।
ଜଗନ୍ନାଥ ଧାମ ଗୋଟିଏ। ଜଗନ୍ନାଥ ପରମ୍ପରାକୁ କଳୁଷିତ କରିବାର ଅପଚେଷ୍ଟା କରାଯାଉଛି। ଏହାର ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ପରିବାର। ଦେଶବାସୀଙ୍କୁ ଏହାର ବିରୋଧ କରିବାକୁ ଆହ୍ୱାନ ଦିଆଯିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଜଗନ୍ନାଥ ଧାମ ସଂସ୍କୃତି ଓ ପରମ୍ପରାକୁ ଅକ୍ତିଆର କରିନେବାର ଏହା ବୃଥା ପ୍ରୟାସ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ। ଦୀଘାକୁ ଜଗନ୍ନାଥ ଧାମ କହିବାର ଅଧିକାର ମମତାଙ୍କୁ ଦେଲା କିଏ ବୋଲି ଉଠିଛି ପ୍ରଶ୍ନ। ବଦ୍ରିନାଥ, ଦ୍ୱାରକା, ରାମେଶ୍ୱରମ ଓ ପୁରୀ ହେଉଛି ଚାରିଟି ଧାମ। ଆବହମାନ କାଳରୁ ଏହା ରହି ଆସିଛି। ତେଣୁ ପଞ୍ଚମ ଧାମ ହୋଇପାରିବ ନାହିଁ।

