ଭୁବନେଶ୍ବର : ମହା କାର୍ତ୍ତିକରେ ମହାବିଭ୍ରାଟ । ଗୋଟେ ଦିନ ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ହବିଷ୍ୟାଳି ମଧ୍ୟରେ ତୀବ୍ର ଅସନ୍ତୋଷ । ପ୍ରଶାସନର ଅବହେଳାକୁ ଦାୟି କଲେ ସେବାୟତ । ଧର୍ମର ମାସରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଲା ମହାବିଭ୍ରାଟ । ଗତକାଲି ଦିନ ତମାମ ମହାପ୍ରଭୁ ଖାଡ଼ା ଉପବାସରେ ରହିବାକୁ ପଡ଼ିଛି। ସମର୍ଥା ସେବାୟତଙ୍କ ନିଅଂଶ ପାଳି ନ ହେବାରୁ ପ୍ରଭୁଙ୍କ ବହୁ ନୀତି ବନ୍ଦ ହୋଇଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କୁ ସମର୍ଥା ସେବାୟତ ମାନେ ସମସ୍ୟାକୁ ନେଇ ଅବଗତ କରିଥିଲେ । ହେଲେ ସମାଧାନ କରିବା ବଦଳରେ ଚୁପ୍ ବସିଲେ ଅଧିକାରୀ । ଫଳରେ ସେବା କଲେନି ସମର୍ଥା ସେବାୟତ । ଗତକାଲି ସକାଳୁ ସକାଳୁ ମଙ୍ଗଳ ଆଳତି ,ଅବକାଶ,ସୂର୍ଯ୍ୟ ପୂଜା ସାହାଣ ମେଲା ଦର୍ଶନ ପରେ ନୀତିକାନ୍ତି ବନ୍ଦ ଥିଲା । ଯାହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ବରିଷ୍ଠ ସେବାୟତ ମାନେ । ତେବେ ଆଜି ସେମାନଙ୍କ ସହିତ ଆଲୋଚନା ପରେ ସୁରଖୁରରେ ଆରମ୍ଭ ହୋଇଛି ସମସ୍ତ ସେବା କାର୍ଯ୍ୟ । ସେପଟେ ପ୍ରଭୁ ଲିଙ୍ଗରାଜ ଉପବାସ ରହିବା ଘଟଣାରେ ସେବାୟତ ମାନଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ହବିଷ୍ୟାଳି ଭକ୍ତ ।
କାର୍ତ୍ତିକ ପୂର୍ଣ୍ଣମା ପାଇଁ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଯାହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ମତେ ଅନୁମତି ମିଳିଲା ନାହିଁ । ସେଥିପାଇଁ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଥିଲେ ସମର୍ଥା ସେବାୟତ । ସମର୍ଥା ସେବାୟତ ନିଯୋଗ ସହ ଆଲୋଚନା ହେବା ପରେ ଆଜି ସୁରଖୁରରେ ଚାଲିଛି ନୀତିକାନ୍ତି । ଯଦି ଆଗକୁ ଏଭଳି ନୀତିକାନ୍ତିରେ ବିଭ୍ରାଟ ହେବ ତେବେ ଆକ୍ସନ ନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ବାରମ୍ବାର ନୀତି ବିଭ୍ରାଟ ପାଇଁ ପ୍ରଭୁ ଲିଙ୍ଗରାଜ ଉପାସରେ ରହୁଛନ୍ତି । ହେଲେ ନିଆଯାଉନାହିଁ କୌଣଷି ଆକ୍ସନ । ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତ ଆଗକୁ ଏଭଳି ପରିସ୍ଥିତି କେବେହେଲେ ଉପୁଜୁନ୍ତାନାହିଁ ବୋଲି ମତ ପ୍ରକାଶ ପାଇଛି।

