ଶ୍ରୀକ୍ଷେତ୍ରରେ ଅଦିନିଆ ଦୀପାବଳି, ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ଆନନ୍ଦିତ ପୁରୀବାସୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ରଦ୍ଦ ହୋଇଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ରାୟକୁ ନେଇ ସବୁଠି ଏବେ ଖୁସିର ମାହୋଲ । ବିଶେଷକରି ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ପୁରୀରେ ଅଦିନିଆ ଦୀପାବଳି ଦେଖିବାକୁ ମିଳିଛି । ପୁରୀ ସହରରେ ପ୍ରାୟ ୨୫ ହଜାର ଦୀପ ପ୍ରଜ୍ବଳନ କରାଯାଇ ରାୟକୁ ସ୍ଵାଗତ କରାଯାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ସମେତ ବିଭିନ୍ନ ସାହିରେ ଏହି ପ୍ରଦୀପ ପ୍ରଜ୍ବଳନ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ୩୨ଟି ୱାଡର ମହିଳାମାନଙ୍କ ପକ୍ଷରୁ ଏହି ପ୍ରଦୀପ ପ୍ରଜ୍ଜଳନ କରାଯାଇଛି । ପୁରୀରେ ଏହିଭଳି ବିକାଶ କାମ ଜାରି ରହୁ ବୋଲି କହିଛନ୍ତି ପୁରୀବାସୀ । ଶ୍ରୀମନ୍ଦିରର ଶ୍ରୀ ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ମଧ୍ୟ ପ୍ରାର୍ଥନା କରିଛନ୍ତି ପୁରୀ ବାସୀ   ।