କରୋନା କାଳରେ ବାଣ ବଢ଼ାଇବ ବିପଦ, ଅଣନିଃଶ୍ୱାସୀ ହେବେ କରୋନା ରୋଗୀ

1 min read

ଭୁବନେଶ୍ୱର: କରୋନା ପାଇଁ ଏବେ ସାରା ବିଶ୍ୱ କଷ୍ଟ ପାଉଛି । ଭ୍ୟାକ୍ସିନ ବାହାରି ନଥିବାରୁ ଲୋକେ ଭୟରେ ଜୀବନ ବିତାଉଛନ୍ତି । କରୋନା ପାଇଁ ଦେଶରେ ଗତ କିଛି ପର୍ବ ପର୍ବାଣିକୁ ବାରଣ କରାଯାଇଥିବାବେଳେ କିଛି ପର୍ବପର୍ବାଣିକୁ ବିନା ଦର୍ଶକରେ ପାଳନ କରାଯାଇଛି । ତେବେ ଆଗକୁ ଆସୁଛି ଦୀପାବଳି ପର୍ବ । ସେଦିନ ପୁରା ଦେଶ ବାଣ ଫୁଟାଇବା ସହ ଘରେ ଦୀପ ଜାଳିଥାନ୍ତି । କିନ୍ତୁ ଚଳିତ ବର୍ଷ ବାଣଜନିତ ପ୍ରଦୂଷଣ ବିପଦ ବଢ଼ାଇବା ଆସଙ୍କା ରହିଛି । ବିଷ ବଳୟ ପାଲଟିବ ବାୟୁମଣ୍ଡଳ । ଅଣନିଃଶ୍ୱାସୀ ହେବେ କରୋନା ରୋଗୀ । ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଆଶଙ୍କା ।

ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଲେ ପ୍ରଦୂଷଣ ମାତ୍ରା ୫୦ ପ୍ରତିଶତ ବଢ଼ିଯିବ । ଫଳସ୍ୱରୂପ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିବ। ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କ ଫୁସ୍‌ଫୁସ୍‌ଜନିତ ସମସ୍ୟା ଦେଖାଦେଇପାରେ । ସେମାନେ ପୁଣି ଆକ୍ରାନ୍ତ ହେବା ଆଶଙ୍କା ରହିଛି  । ଏଭଳି ଆଶଙ୍କା କରି କେନ୍ଦ୍ର ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବୁନାଲ- ଏନ୍‌ଜିଟି ନୋଟିସ କରିଛି । ଏବର୍ଷ ଦୀପାବଳିରେ ବାଣ ନଫୁଟାଇକୁ ଡାକ୍ଟର ପରାମର୍ଶ ଦେଇଛନ୍ତି ।

ଦୀର୍ଘ ୭ ମାସର କଠିନ ପରିଶ୍ରମ ପରେ ରାଜ୍ୟରେ କରୋନା ସଂକ୍ରମଣର ପାରା କମିଛି । ଗତ ମାର୍ଚ୍ଚ ମାସଠାରୁ ସମସ୍ତ ପାର୍ବଣ ଓ ଉତ୍ସଵ ଉପରେ ଲାଗିଛି ଅଙ୍କୁଶ । ଏବେ ଶୀତ ଋତୁରେ ସଂକ୍ରମଣ ପୁଣି ଶୀର୍ଷକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆତସବାଜି ଜରିଆରେ ବାୟୁମଣ୍ଡଳକୁ ବିଷାକ୍ତ ନକରି ଦୀପାବଳିକୁ କେବଳ ଆଲୋକର ପର୍ବ ଭାବେ ପାଳନ କରିବା ଉଚିତ ବୋଲି ପରିବେଶବିତ୍ କହିଛନ୍ତି ।

ୟୁରୋପ୍‌ରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେଲାଣି । ଏଭଳି ସ୍ଥିତିରେ ଦୀପାବଳି ଯେପରି ଲୋକଙ୍କ ଜୀବନକୁ ଅନ୍ଧକାରକୁ ଟାଣି ନନେବ ସେଥିପାଇଁ ସତର୍କ ବହେବାକୁ ପରାମର୍ଶ ଦିଆଯାଇଛି ।

Leave a Reply