ଆସିଲା ବାଣ ଫୁଟା ପାଇଁ ସରକାରୀ ଗାଇଡଲାଇନ: ସନ୍ଧ୍ୟା ୭ ଟାରୁ ୯ ଟା ଭିତରେ ଫୁଟାଯିବ ବାଣ

ନନ୍ଦିଘୋଷ ବ୍ୟୁରୋ: ଆସିଲା ବାଣ ଫୁଟା ପାଇଁ ସରକାରୀ ଗାଇଡଲାଇନ । ଏଥର ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେପରି ଶବ୍ଦ କି ବାୟୁ ପ୍ରଦୂଷଣ ନ ହୁଏ, ତାହାର ତଦାରଖ କରିବାକୁ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି । ପ୍ରଦୂଷଣର ମାତ୍ରା ବଢୁଥିବାରୁ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରକୁ ସ୍କାନରରେ ରଖାଯାଇଛି ।

ଏଥର ବି ଦୀପାବଳିରେ ସବୁଜ ବାଣକୁ ହଁ ।  ୭ ଟାରୁ ୯ ଟା ଯାଏଁ ବାଣ ଫୁଟାଇ ପାରିବେ ଲୋକ । ଏନେଇ  ସୁପ୍ରିମକୋର୍ଟଙ୍କ ରହିଛି କଡ଼ା ନିର୍ଦ୍ଧେଶ। ଦୀପାବଳିରେ ବାଣ ଫୁଟାଇବା ପାଇଁ ୧୬ ସୂତ୍ରୀ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରନ ବୋର୍ଡ଼ । ସବୁଜ ବାଣ ଶବ୍ଦ କି ବାୟୁ ପ୍ରଦୂଷଣ କରେନି । ବାଣର ଶବ୍ଦ ୧୨୫ ଡିବିରୁ ଅଧିକ ହୋଇପାରିବ ନାହିଁ । ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷା ସଂସ୍ଥା, କୋର୍ଟ, ଧାର୍ମିକ ସ୍ଥାନ, ସାଇଲେନସ ଜୋନର ୧୦୦ ମିଟର ଦୂରତା ଭିତରେ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଓ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣଠାରୁ ଦୂରରେ ରହିବା ଉଚିତ । ବାଣ ଫୁଟାଇବା ସମୟରେ କଟନ ବା ସୂତା କପଡା ପରିଧାନ କଲେ ସୁରକ୍ଷତି ରହି ହେବ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ପାରିବ ନାହିଁ । ନିୟମ ଖିଲାପ କଲେ ୨୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ନିୟମାବଳୀକୁ କଡ଼ାକଡି ପାଳନ କରିବା ଦିଗରେ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି । ତେବେ ବାଣଠାରୁ ଦୂରରେ ରହି ଦୀପାବଳିରେ କେବଳ ଦୀପ ଜଳାଇ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ଥାଏ । ଗତବର୍ଷ ଦୀପାବଳି ପୂର୍ବ ଦିନ ୧୦୦ ଏକ୍ୟୁ ଥିଲା । ହେଲେ ଦୀପାବଦଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ରୁ ୩୪୦ ଏକ୍ୟୁରେ ପହଞ୍ଚିଥିଲା । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ରହିଛି ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ । ଯାହା ସବୁଜ ଗୃହ ବାସ୍ପ । ଏଥିରେ ବାଣ ଫୁଟାରୁ ବାୟୁମଣ୍ଡଳରେ ସବୁଜ ଗୃହ ବାସ୍ପ ଆହୁରି ବଢିଯାଏ ।

ମୁକୁଳା ଫୁଟପାଥ୍, ମୁକୁଳା ଭାବେ କୋଠାବାଡି ନିର୍ମାଣ, ଯାନବାହନ ସଂଖ୍ୟା ବୃଦ୍ଧି, ରେଳ ଷ୍ଟେସନର ମାଲଗୋଦାମ, କଳକାରଖାନାର ଧୂଆଁ ସହରର ପ୍ରଦୂଷଣ ମାତ୍ରା ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି । ସେହି ସମୟରେ ବାଣ ପ୍ରଦୂଷଣକୁ ଦ୍ବିଗୁଣିତ କରି ଦେଇଥାଏ ।