ହୁସିଆର ! ଏଥର ରାତି ୧୦ ପରେ ଡିଜେ ବଜାଇଲେ…

ଭୁବନେଶ୍ବର: ବିବାହ ଉତ୍ସବରେ କରୋନା କଟକଣା ମାନୁ ନାହାନ୍ତି ରାଜଧାନୀ ଲୋକେ । ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମ୍ ମଚାଉଛନ୍ତି । ବରିଷ୍ଠ ନାଗରିକ, ପ୍ରସୂତି ମହିଳା, ଛୋଟ ପିଲାଙ୍କୁ ସମ୍ମୁଖୀନ ହେବାକୁ ପଡୁଛି ସମସ୍ୟା । ଏଣିକି ଡିଜେ ଓ ବାଣଫୁଟା ନିୟମ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାତି ୧୦ ପରେ ଯଦି କିଏ ଡିଜେ ବଜାଇବା ଦେଖିବାକୁ ମିଳିବ କି ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଓ ଅନ୍ୟାନ୍ୟ ଉତ୍ସବ ପାଇଁ କଟକଣା ଲାଗିଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି । ହେଲେ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିଁ ବୋଲି ନିୟମ ରହିଛି । କିଛି ସ୍ଥାନରେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଭିଯୋଗ ଆସିବା ପରେ କଠୋର ଆଭିମୁଖ୍ୟ ଦେଖାଇଛି କମିଶନରେଟ ପୋଲିସ । ନିୟମ ଅବମାନନା କରି ରାତି ୧୦ଟା ପରେ ଡିଜେ ବଜାଉଥିଲେ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଯଦି କୌଣସି ସ୍ଥାନରେ କଟକଣା ଅବମାନନା ଦେଖନ୍ତି ତେବେ ହେଲ୍ପ ଲାଇନ ନମ୍ବର  06742540294 ରେ ଫୋନ କରି ଜଣାଇବାକୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply