କୁନି ପିଲା ସହ କୁକୁର ବାହାଘର, ଟଟିଘର ଗାଁରେ ହଜାରେ ବର୍ଷର ପରମ୍ପରା

ଢେଙ୍କାନାଳ: ବିବିଧତାର ଦେଶ ଭାରତ । ଏଠି ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ଜାତି, ଭାଷ ଓ ସେମାନଙ୍କ ପରମ୍ପରା । ଆଉ ଏସବୁ ପରମ୍ପରାର ରହିଛି ସ୍ବତନ୍ତ୍ରତା । ଏମିତି ଏକ ପରମ୍ପରା ଢେଙ୍କାନାଳ ଜିଲ୍ଲା ସୋରିଷିଆପଦା ଟଟିଘର ଗାଁରେ ଦେଖିବାକୁ ମିଳିଥାଏ । ଏହି ପରମ୍ପରାଟି ହଜାରେ ବର୍ଷରୁ ଅଧିକ ପୁରୁଣା । ତେବେ ଜାଣିଛନ୍ତି କି କ’ଣ ଏହି ପରମ୍ପରା । ଆଜ୍ଞା ହଁ ଏଠାରେ ହଜାରେ ବର୍ଷରୁ ଅଧିକ ହେବ ପାଳନ ହେଉଛି କୁକୁର ବାହାଘର । ବେଶ ଜାକଜମକରେ ଏଠାରେ ଏହି କୁକୁର ବାହାଘର ହୋଇଥାଏ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ କନ୍ୟା ବେଶରେ କୁକୁର ସଜେଇ ହୋଇଥିବା ବେଳେ ବର ହୋଇଥାଏ ଏକ କୁନି ପୁଅ । ତେବେ ଆସନ୍ତୁ ଜାଣିବା ଢେଙ୍କାନାଳର ସୋରିଷିଆପଦା ଟଟିଘର ଗାଁର ଏହି କୁକୁର ବାହାଘର ସମ୍ପର୍କରେ ।

ଟଟିଘର ଗାଁ । ରାଜରାସ୍ତା ସାଜିଛି ବେଦୀ । କନିଆ ସାଜିଛି କୁକୁର ଓ ବର ସାଜିଛି କୁନିପୁଅ । ବାଜାର ତାଳେ ତାଳେ ଝୁମି ଝୁମି ଅଣ୍ଟାକୁ ଅଣ୍ଟା ଧରି ନାଚୁଛନ୍ତି ଲୋକ । ରାସ୍ତା ଉପରେ ଚାଲିଛି ବାହାଘର । କନ୍ୟା ବେଶରେ ସଜେଇ ହୋଇଛି କୁକୁର । ପାଦରେ ଲଗାଯାଇଛି ଅଳତା, ଗୋଡରେ ପିନ୍ଧିଛି ଘୁଙ୍ଗୁର ଓ ଚୁଡି, ମୁଣ୍ଡରେ ପକାଯାଇଛି ଓଢଣୀ । ଖାଲି ଏତିକି ନୁହେଁ ମନ୍ତ୍ରପାଠ ସହ ହୋଇଛି ବିବାହ । ଶେଷରେ ବରଯାତ୍ରୀଙ୍କୁ ଭୋଜିରେ ଦିଆଯାଇଥାଏ ତାଡି । ଯୌତୁକ ଟଙ୍କା ହିସାବରେ ଦିଆଯାଇଥିଲା ଛୋଟ ମାଟି ଖଣ୍ଡ ଏବଂ ବାଇକ ହିସାବରେ ଦିଆଯାଇଥିଲା ଗୋଟିଏ ଖେଳନା ।

ଏହି ନିଆରା ପରମ୍ପରାଟି କାହିଁ କେତେ କାଳରୁ ଚାଲିଆସିଛି । ଯଦି କୌଣସି କୁନି ପୁଅର ପାଟିର ଉପର ଭାଗରେ ଦାନ୍ତ ଉପରେ ଦାନ୍ତ ଉଠିଥାଏ ତା’ହାଲେ ଆଦିବାସୀମାନେ ଏହାକୁ ଭାବିଥାନ୍ତି ଅଶୁଭ । ତେଣୁ କୁକୁର ସହ ବାହାଘର କରିଦେଲେ ରିଷ୍ଟ ଖଣ୍ଡନ ହୁଏ ବୋଲି ସେମାନଙ୍କ ବିଶ୍ବାସ ରହିଛି । ପୁଅର ଏପରି ଦାନ୍ତ ଉଠିଥିଲେ ମାଇ କୁକୁରଙ୍କ ସହ ତାର ବାହାଘର କରାଯାଏ । ଆଉ ଝିଅର ଦାନ୍ତ ଉଠିଥିଲେ ପୁରୁଷ କୁକୁର ସହ ବାହାଘର କରାଯାଏ । ପିଲାର ୭ ବର୍ଷ ଭିତରେ କରାଯାଇଥାଏ ଏହି ବାହାଘର । ଜୁଆଙ୍ଗ, ମାଝୀ ପରି ବହୁ ସଂପ୍ରଦାୟ ଏହି ପ୍ରଥାକୁ ମାନିଥାନ୍ତି । ଯାହାର ନାମ ରହିଛି ମା ଦେଶାଉଲି ବାର୍ଷିକ ମାଗେ ପରବ ।