spot_img

Latest Posts

ହାଣ୍ଡିଶାଳରେ ମହଙ୍ଗା ମାଡ଼: ପୁଣି ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍

ନନ୍ଦିଘୋଷ ବ୍ୟୁରୋ : ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ଝଟ୍‌କା। ରୋଷେଇ ଘର ଉପରେ ହୋଇଛି ମହଙ୍ଗା ମାଡ଼। ଦେଶରେ ପୁଣି ଥରେ ବଢ଼ିଛି ଘରୋଇ ଏଲ୍‌ପିଜି (LPG) ଗ୍ୟାସ୍ ସିଲିଣ୍ଡରର ଦର। ଚଳିତ ଥର ସିଲିଣ୍ଡର ପିଛା ସିଧାସଳଖ ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ପରେ ଉଭୟ ଓଡ଼ିଶା ଏବଂ ଦେଶର ଲୋକଙ୍କ ପକେଟ୍ ଉପରେ ଚାପ ପଡ଼ିବା ନିଶ୍ଚିତ ହୋଇଛି।

ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୬୮ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ୯୩୯ ଟଙ୍କା ଥିଲା, ଯାହା ଏବେ ୨୯ ଟଙ୍କା ମହଙ୍ଗା ହୋଇଯାଇଛି। କେବଳ ଓଡ଼ିଶା ନୁହେଁ, ବରଂ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି।

ଗ୍ରାହକଙ୍କ ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗତ ୩ ମାସ ମଧ୍ୟରେ ଏହା ଦ୍ଵିତୀୟ ଥର ପାଇଁ ଦର ବୃଦ୍ଧି। ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୬୦ ଟଙ୍କାର ବଡ଼ ବୃଦ୍ଧି ଘଟିଥିଲା।

ଏହିପରି ବାରମ୍ବାର ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଘରୋଇ ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ହାଣ୍ଡିଶାଳର ଚିନ୍ତା ବଢ଼ାଇଥିବା ଏହି ମହଙ୍ଗା ମାଡ଼କୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Latest Posts

Don't Miss