ରାଜଧାନୀରେ ଡବଲ ମର୍ଡର, ଜବତ ହେଲା ରକ୍ତଭିଜା ଟାଙ୍ଗିଆ

1 min read

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର ଘଟଣାରେ ଜବତ ହୋଇଛି ରକ୍ତଭିଜା ଟାଙ୍ଗିଆ। ପତ୍ନୀ ଓ ଶାଳୀକୁ ହତ୍ୟା କରିବା ପାଇଁ ଉକ୍ତ ଟାଙ୍ଗିଆକୁ ବ୍ୟବହାର କରିଥିଲା ଅଭିଯୁକ୍ତ ବିଜୟ ସେଠୀ। ହତ୍ୟା ପରେ ଟାଙ୍ଗିଆକୁ ଲୁଚାଇ ଦେଇଥିଲା ବିଜୟ । ତେବେ ଆଜି ଅଭିଯୁକ୍ତ ବିଜୟଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।

୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତ୍ୟା କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ। ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତ୍ୟା କାହାଣୀ । ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ । କେବଳ ଏତିକି ନୁହେଁ ହତ୍ୟା ପରେ ଏକ ଚିଠି ମଧ୍ୟ ଲେଖିଥିଲା ଅଭିଯୁକ୍ତ ।

ଯେଉଁଥିରେ ଉଲ୍ଲେଖ ଥିଲା- ‘ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।’  ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ ।